କେବେ ମିଳିବ ସହିଦ କରୋନା ଯୋଦ୍ଧାଙ୍କୁ ସହାୟତା ? ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଆସିଲା ବଡ ତଥ୍ୟ ।

617

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା । କରୋନା ସହ ସାରା ଓଡିଶା ଲଢେଇ କରୁଥିବା ବେଳେ କେବେ ମିଳିବ ସହିଦ କରୋନା ଯୋଦ୍ଧାଙ୍କୁ ସହାୟତା ? ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରୁ ଆସିଲା ବଡ ତଥ୍ୟ । ରାଜ୍ୟର ୬୦ କୋଭିଡ୍ ସହିଦଙ୍କ ତାଲିକା କେନ୍ଦ୍ରଙ୍କୁ ଦିଆଯାଇଛି । କେନ୍ଦ୍ର ମାତ୍ର ଜଣେ ସହିଦଙ୍କୁ ସହାୟତା ଦେବାକୁ ସମ୍ମତି ଦେଇଛି । ସହାୟତା ଦେବାକୁ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ର ସରକାର ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଦେବାକୁ ଘୋଷଣା କରିଥିଲେ ।

କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କର ସ୍ବାସ୍ଥ୍ୟର ଗୁଣାତ୍ମକ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟରେ ବର୍ତ୍ତମାନ ୭୮ ପ୍ରତିଶତ ଲୋକ ଗୃହ ସଂଗରୋଧରେ ଅଛନ୍ତି । ତେଣୁ ଗୃହ ସଂଗରୋଧରେ ଥିବା ରୋଗୀ ଏବଂ କୋଭିଡ ହସ୍ପିଟାଲରେ ରହିଥିବା ରୋଗୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସିଧାସଳଖ ଯୋଗାଯୋଗ କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ କରିଛନ୍ତି । ଆଣ୍ଟି ଭାଇରାଲ ଔଷଧ ସଂପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଜାତୀୟ ଆରୋଗ୍ୟ ହାର ୮୫ ପ୍ରତିଶତ ଥିବାବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯ ପ୍ରତିଶତ ପହଞ୍ଚିଛି । ରାଜ୍ୟରେ ଗତ ୮ ମାସ ଭିତରେ ୩୬ ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬.୭୫ ପ୍ରତିଶତ ପଜିଟିଭ କେସ୍ ବାହାରିଛି ।

ଆଗକୁ ପୂଜା ଋତୁ ଆସୁଥିବାରୁ ଅଧିକ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଏତଦବ୍ୟତୀତ କୋଭିଡ ନିୟମାବଳୀ ଏବଂ ଔଷଧ ସେବନ ସଂକ୍ରାନ୍ତରେ ନିୟମିତ ସଚେତନତା ଅଭିଯାନ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇ ଛନ୍ତି ପୋଲିସ କର୍ମଚାରୀମାନେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି । ମୋ ସରକାରରେ ଲୋକଙ୍କ ଠାରୁ ନିଆଯାଇଥିବା ମତାମତ ଅନୁଯାୟୀ ଟେଷ୍ଟିଂ, ଟେଷ୍ଟିଂ ରିପୋର୍ଟ, ରୋଗୀଙ୍କୁ ସୂଚନା ଏବଂ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବା ବ୍ୟବସ୍ଥାକୁ ଆହୁରି ଦକ୍ଷତାର ସହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ ଛନ୍ତି ।

କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ। କଟକ, ପୁରୀ ଓ ଭୁବନେଶ୍ବରରେ ଏକ ଲକ୍ଷ ଆଣ୍ଟି ଭାଇରାଲ ମେଡିସିନ୍‌ ଦିଆଯାଇଛି ଏବଂ ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହା ରୋଗୀଙ୍କୁ ଦିଆଯିବ । ବୈଠକରେ ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।