ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସୁରଟ୍ ଗସ୍ତ ! ଓଡିଆ ମହୋତ୍ସବରେ ହେବେ ସାମିଲ, ଏପଟେ ଗସ୍ତକୁ ନେଇ ବଢିଲା ରାଜନୀତି ।

134

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ୍ ଗସ୍ତ ପୂର୍ବରୁ ସରଗରମ୍ ହୋଇଛି ଓଡ଼ିଶା ରାଜନୀତି । ସୁରଟରେ ଅନୁଷ୍ଠିତ ଓଡ଼ିଶା ମହୋତ୍ସବରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯୋଗ ଦେଉଥିବା ବେଳେ ନିର୍ବାଚନ ପୂର୍ବରୁ କେମିତି ମନେ ପଡ଼ିଲା ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ।

ରାଜନୀତିର ବୟାନବାଜି ଭିତରେ ଗୋଟିଏ କଥା ସ୍ପଷ୍ଟ । ୨୦୧୯ ନିର୍ବାଚନରେ ପ୍ରବାସୀ ଓଡ଼ିଆଙ୍କ ଭୋଟ୍ ସବୁ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ତାହା ହୋଇନଥିଲେ, ଯେଉଁ କେନ୍ଦ୍ରମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି, ସେ କାହିଁକି ସୁରଟ୍-ଓଡ଼ିଶା ପର୍ବରେ ସାମିଲ ହୋଇଥାନ୍ତେ । ଏପଟେ ସମାନ ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ସୁରଟ ହେଉଛି ସେହି ସହର ଯାହା ମିନି ଓଡ଼ିଶା ଭାବରେ ପରିଚିତ । କେରଳୀ ଲୋକଙ୍କ ପାଇଁ ଦୁବାଇ ଯେମିତି, ଗୁଜୁରାଟୀ ଲୋକଙ୍କ ପାଇଁ ନ୍ୟୁ ଜର୍ସି ଯେମିତି, ଠିକ୍ ସେମିତି ସୁରାଟ ଓଡ଼ିଆ ଲୋକଙ୍କ ରୋଜଗାର ଯୋଗାଉଥିବା ଏକ ପରିଚିତ ସହର । ସୁରାଟ ସହରରେ ପ୍ରାୟ ୭ ଲକ୍ଷ ଓଡ଼ିଆ ଲୋକ, ପରିବାର ନେଇ ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୨ଲକ୍ଷ ଭୋଟର୍ । ଯେଉଁମାନେ ନିର୍ବାଚନ ସମୟରେ ଓଡ଼ିଶା ଆସି ମତଦାନ କରନ୍ତି । ଆଉ ସୁରାଟରେ ଥିବା ଏହି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଅଧିକାଂଶ ଗଂଜାମ ଜିଲ୍ଲାର । ସଂଖ୍ୟା ଦୃଷ୍ଟିରୁ ସୁରାଟରେ ରହୁଥିବା ଓଡ଼ିଆଙ୍କ ଭୋଟ୍ ନିର୍ବାଚନରେ ବେଶ ଗୁରୁତ୍ୱ ରଖେ । ବୋଧେ ସେଇଥି ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ଫୋକସରେ ରହି ଆସିଛି ଗୁଜୁରାଟର ସୁରଟ୍ ସହର ।