ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧସୂଦନ ସଂଗ୍ରହାଳୟ ଓ ବାଖ୍ୟାନ କେନ୍ଦ୍ର ଲୋକାର୍ପିତ

165

କନକ ବ୍ୟୁରୋ : ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ‘ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧୁ ବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ। ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ୱାଭିମାନ ର ଗୌରବମୟ ଗାଥା ।

ଭିଡିଓ କନଫରେନ୍ସିଂ ଜରିଆରେ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଯେ ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର । ଏହି ସଂଗ୍ରହାଳୟରେ ସମସ୍ତଙ୍କୁ ବିଶେଷ କରି ଯୁବ ପିଢିଙ୍କୁ ଓଡିଆ ସ୍ବାଭିମାନର ସୁରକ୍ଷା ପାଇଁ ପ୍ରେରଣା ଦେଇ ଚାଲିବ ବୋଲି ସେ କହିଥିଲେ ।

ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଗ୍ରାମକୁ ଏକ ଗୁରୁତ୍ବପୂର୍ଣ୍ଣ ପର୍ୟ୍ୟଟନସ୍ଥଳ ଭାବରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିବ ।

ମଧୁବାବୁଙ୍କ ଆଦର୍ଶରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ କରିବାପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇ କହିଲେ ଯେ ମଧୁବାବୁଙ୍କ ଜାତି ପ୍ରୀତି ଓ ତ୍ୟାଗର ତୁଳନା ନାହିଁ । ଓଡ଼ିଆ ଜାତି ପାଇଁ ମଧୁବାବୁ ତାଙ୍କର ସବୁ କିଛି ତ୍ୟାଗ କରିଯାଇଛନ୍ତି। ତାଙ୍କ ପାଇଁ ଓଡ଼ିଆ ସ୍ୱାଭିମାନ ଥିଲା ସବୁଠୁ ଉପରେ । ତା ସହ ସେ କେବେବି ସାଲିସ କରିନାହାନ୍ତି । ଏ ଜାତି ପାଇଁ ତାଙ୍କର ଅବଦାନ ତାଙ୍କୁ ଓଡ଼ିଆ ଙ୍କ ହୃଦୟରେ ଯୁଗ ଯୁଗ ପାଇଁ ଅମର କରି ରଖିବ ।

ଓଡିଶାକୁ ମଧୁବାବୁଙ୍କ ଅବଦାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଭାଷାକୁ ଭିତ୍ତିକରି ରାଜ୍ୟ ଗଠନ ପାଇଁ ମଧୁ ବାବୁଙ୍କ ଉଦ୍ୟମ, ତାଙ୍କର ଦୂର ଦୃଷ୍ଟିର ପରିଚୟ ଦିଏ । ସ୍ବାଧୀନତା ପରେ ଭାଷା ସୂତ୍ରରେ ହିଁ ଭାରତର ଅନେକ ରାଜ୍ୟ ଗଠିତ ହୋଇଛି । କିନ୍ତୁ ସେତେବେଳେ ଓଡିଶା ଥିଲା ଭାଷା ଭିତିରେ ଭାରତର ପ୍ରଥମ ରାଜ୍ୟ ।

କାର୍ୟ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ମଧୁ ବାବୁ ଥିଲେ ଓଡ଼ିଆ ଜାତିର ମୂଖ୍ୟ ପୁରୋଧା । ତାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଆଜି ମଧୁ ସଂଗ୍ରହାଳୟ ଲୋକାର୍ପିତ କରିଛନ୍ତି  । ଆଜି ସାରା ବିଶ୍ୱରେ ଥିବା ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସତ୍ୟଭାମାପୂର ଗାଁ ର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସତ୍ୟଭାମାପୂରର ଉନ୍ନତି ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ ।

ଜିଲ୍ଲାପାଳ ଭବାନୀ ଚରଣ ଚଇନି ସ୍ବାଗତ ଭାଷଣ ଦେଇଥିଲେ ଏବଂ ସତ୍ୟଭାମାପୁର ମଧୁସୂଦନ ସାଂସ୍କୃତିକ ସଂଘର ସଭାପତି ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଲୋକ ସେବା ଭବନ ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ସଂଗ୍ରହାଳୟରେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ, ପିଲା ଦିନର ବିରଳ ଫଟୋ, ଜନ୍ମ ଜାତକ, ଢ଼ିଙ୍କି ଆଦି ବିଭିନ୍ନ ବିରଳ ଜିନିଷ ସ୍ଥାନ ପାଇଛି।