ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ ! ବଡ଼ମ୍ବା ଓ ନରସିଂହପୁର ପାଇଁ ୯୩୧ କୋଟି ଟଙ୍କାର ପ୍ରକଳ୍ପ ଭେଟି । 

112

କନକ ବ୍ୟୁରୋ: କଟକ ଜିଲ୍ଲାକୁ ୯୩୧ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କଟକ ଜିଲ୍ଲା ଗସ୍ତ କରି ବଡମ୍ବା ଏବଂ ନରସିଂହପୁର ଅଚଂଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୨୫ କୋଟି ଟଙ୍କାରେ ୧୬୨ ଟି ଗାଁର ୨୫ ହଜାର ଏକର ଚାଷଜମିକୁ ଜଳସେଚିତ କରିବା ପାଇଁ ମେଗା ଉଠା ଜଳସେଚନ ପ୍ରକଳ୍ପ ଉଦଘାଟିତ ହୋଇଛି । ସେହିପରି ନରସିଂହପୁରରେ ଗ୍ରୀଡ ସବଷ୍ଟେସନ, ରାସ୍ତା ପ୍ରକଳ୍ପ, ସେତୁ ଏବଂ ଡାକବଙ୍ଗଳା ଉଦଘାଟିତ ହୋଇଛି ।

ଏହାସହ ଅନନ୍ତ ନାରାୟଣ ହାଇସ୍କୁଲ  ପାଖ ପଡ଼ିଆରେ ସାଧାରଣ ସଭାରେ ସ୍ଥାନୀୟ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ  । କଟକ ଜିଲ୍ଲାର ପ୍ରଥମ ତଥା ଓଡ଼ିଶାର ଅନ୍ୟତମ ବୃହତ ମେଗା ପାନୀୟ ଜଳ ପ୍ରକଳ୍ପର ବିଧିବଦ୍ଧଭାବେ ଶୁଭାରମ୍ଭ କରିଛନ୍ତି ନବୀନ । ଏହାଦ୍ୱାରା ବଡ଼ମ୍ବା ଓ ନରସିଂହପୁର ବ୍ଲକର ୭୩ଟି ଗ୍ରାମପଞ୍ଚାୟତର ସମସ୍ତ ଅଧିବାସୀ ଉପକୃତ ହେବେ । ତେବେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମୋଟ୍ ୨୭୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ସେପଟେ କିଡନୀ ତଥା ଅନ୍ୟାନ୍ୟ ଜଳଜନିତ ରୋଗ ଏବଂ ପାଇପ୍ ଜଳ ଯୋଗାଣରୁ ବଞ୍ଚିତ ହେଉଥିବା ସମସ୍ତ ସ୍ଥାନୟ ବାସିନ୍ଦାଙ୍କ ସମସ୍ୟା ଦୂର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ମରୁଡ଼ି ପ୍ରପୀଡ଼ିତ ବଡ଼ମ୍ବା-ନରସିଂହପୁର ଚାଷୀକୂଳ ପାଇଁ କଟକ ଜିଲ୍ଲାର ଏକମାତ୍ର ୪୦୦ କୋଟି ଟଙ୍କାର ଅନୁମୋଦିତ ମେଗା ଜଳ ସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୨୧ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଅଙ୍ଗନୱାଡ଼ି ଭିତ୍ତିଭୂମି ସହିତ ମହିଳା ଗ୍ରୁପ ତଥା ବିଭିନ୍ନ ଯୋଜନାରେ ଉପକୃତ ହିତାଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ସହାୟତା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।