ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କୁ ଭେଟିଲେ ନବୀନ : ହାତ ହଲାଇ କହିଲେ, ବାଏ ବାଏ , ଡାକ୍ତର କହିଲେ, ଉଭୟ ଶିଶୁ ବିପଦମୁକ୍ତ

29

କନକ ବ୍ୟୁରୋ :  ଏମ୍ସର ସ୍ୱତନ୍ତ୍ର କ୍ୟାବିନରେ ଜଗାବଳିଆଙ୍କ ସହ ନବୀନ । ହାତ ହଲାଉଛନ୍ତି , ବାଏ ବାଏ କରୁଛନ୍ତି । ଜଗା ମଧ୍ୟ ହାତ ହଲାଉଛିି । ଦିଲ୍ଲୀରେ ଆନ୍ତଃରାଜ୍ୟ ପରିଷଦର ସ୍ଥାୟୀ କମିଟି ବେଠକରେ ଯୋଗ ଦେବାକୁ ଯାଇଥିବା ନବୀନ ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିଛନ୍ତି ଓ ଡାକ୍ତରଙ୍କୁ ସେମାନଙ୍କ ଚିକିତ୍ସା ବାବଦରେ ଆଲୋଚନା କରିବା ପରେ ଡାକ୍ତରମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

କନ୍ଧମାଳର ଏକ ଅଖ୍ୟାତ ଗାଁର ଏହି ମହିଳା ଜଣକ ବୋଧହୁଏ କେବେ ଚିନ୍ତା କରିନଥିଲେ , ଯେଉଁ ଜଗା-ବଳିଆ ପାଇଁ ସେ ସବୁବେଳେ ଦୁଃଖୀ ରହୁଥିଲେ , ଆଜି ସେଥିରେ ଏକ ବଡ ପରିବର୍ତ୍ତନ ଆସିବ । ବଳିଆ ମଧ୍ୟ ଭେଣ୍ଟିଲେଟରରୁ ବାହାରକୁ ଆସିଯାଇଛି । ଖୁବ୍ ଧିରେ ଧିରେ ହେଲେ ମଧ୍ୟ ବଳିଆ କ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେବା , ଏକ ନୂଆ ଆଶାର ସଂଚାର କରିଛି ।

ଜଗା-ବଳିଆଙ୍କ ଏ ସ୍ଥିତି ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଚିକିତ୍ସା ପାଇଁ ବାଟ ଖୋଲିଥିଲା । କିନ୍ତୁ ଡାକ୍ତରଙ୍କ ସହ ସମସ୍ତେ ସନ୍ଦିହାନ ଥିଲେ ଏତେ କଷ୍ଟସାଧ୍ୟ ଅପରେସନର ପରିଣତି କଣ ହେବ । କିନ୍ତୁ ଧିରେ ଧିରେ ସେହି ନିରାଶା , ଆଶାରେ ପରିଣତ ହେବାରେ ଲାଗିଛି । ଏବଂ କନ୍ଧମାଳର ଏହି ପରିବାର ପାଇଁ ଦିଲ୍ଲୀ ଏମ୍ସର ଡାକ୍ତରମାନେ ଭଗବାନ ପାଲଟି ଯାଇଛନ୍ତି ।

ଏ କାହାଣୀରେ ସୁଖଦ ମୋଡ ଆସିବାରେ ଲାଗିଛି । ଏବଂ ସାରା ଓଡିଶା ପ୍ରାର୍ଥନା କରୁଛି ଜଗା ବଳିଆ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ।