ଇଞ୍ଜିନିୟରିଂ ପଢିବାକୁ ଅର୍ଥ ସାଜୁଥିଲା ବାଧକ, ଆଡମିଶନ ପାଇଁ ମୁଖ୍ୟମନ୍ତ୍ରୀ ପଠାଇଲେ ଟଙ୍କା । 

620

କନକ ବ୍ୟୁରୋ : ଅର୍ଥ ଅଭାବ ପାଇଁ ପ୍ରତିଭାବାନ ଛାତ୍ରଙ୍କ ପାଠପଢାରେ ଡୋରି ବନ୍ଧା ହେବନି । ସେହିଭଳି ଜଣେ ପ୍ରତିଭାବାନ ଛାତ୍ରଙ୍କ ସ୍ୱପ୍ନକୁ ପୂରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ସହଯୋଗର ହାତ ବଢାଇଛନ୍ତି ନବୀନ ।  ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ଆଡମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଅଞ୍ଚଳର ବଡପଡା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍‌ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ଯେଉଁଥିରେ ପୁଅକୁ ଆଗକୁ ପଢାଇବା ଏତେ ସହଜ ନଥିଲା । ତଥାପି କଷ୍ଟେମଷ୍ଟେ ପୁଅର ପଛରେ ଛିଡା ହୋଇଥିଲେ ବାପା । ଆଉ ନିଜର ସ୍ବପ୍ନ ପୂରଣ କରିବା ପାଇଁ ତାରାଚାନ୍ ଅବିରତ ଉଦ୍ୟମ କରି ଚାଲିଥିଲେ ଏବଂ ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା ଜେଇଇ ମେନରେ ୯୯.୩୫ ପ୍ରତିଶତ ମାର୍କ ରଖି ଏନଆଇଟି ୱାରଆଙ୍ଗଲରେ ପଢିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି।

ପ୍ରବେଶିକା ପରୀକ୍ଷାରେ ସିନା କୃତକାର୍ଯ୍ୟ ହେଲେ କିନ୍ତୁ ଏତେ ବଡ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ରାସ୍ତାରେ ବାଧା ଦେଉଥିଲା ଅର୍ଥ । କାରଣ ଆଡମିଶନ ପାଇଁ ଦରକାର ଥିଲା ପାଖାପାଖି ଲକ୍ଷେ ଟଙ୍କା । କିନ୍ତୁ ଯେଉଁଠି ପରିବାରର ମୋଟ ବାର୍ଷିକ ରୋଜଗାର ୪୫ ହଜାର ଟଙ୍କା, ସେଠାରେ ପୁଅକୁ ପାଠ ପଢାଇବା ପାଇଁ ବାର୍ଷିକ ରୋଜଗାରର ଦୁଇ ଗୁଣା ଟଙ୍କା ଆସିବ ବା କେଉଁଠୁ?  ଏହାସତ୍ତେ୍ୱ ମଧ୍ୟ ଧାର ଉଧାର କରି କିଛି ଟଙ୍କା ସଂଗ୍ରହ କରିଥିଲେ ତାରାଚାନ୍ । କିନ୍ତୁ ଆଡମିଶନ ପାଇଁ ସେତିକି ଟଙ୍କା ପର୍ଯ୍ୟାପ୍ତ ନଥିଲା । ତେଣୁ ବାକି ଅର୍ଥ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ତାରାଚାନ୍ ।

ଅର୍ଥ ଅଭାବରୁ ଜଣେ ମେଧାବୀ ଛାତ୍ରର ପାଠପଢାରେ ଡୋରି ବନ୍ଧା ହେବ ଏହା ମୁଖ୍ୟମନ୍ତ୍ରୀ ଜାଣିବା ପରେ ତୁରନ୍ତ ତାରାଚାନଙ୍କ ଆଡମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ଆବଶ୍ୟକୀୟ ୯୬,୫୦୦ ଟଙ୍କା ମଞ୍ଜୁର କରିଥିଲେ । ଯାହାଦ୍ୱାରା ତାଙ୍କର ଆଡମିଶନ ପ୍ରକ୍ରିୟା ପୂରା ହୋଇ ପାରିବ । ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।