ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ନବୀନ । କହିଲେ ମହାଗଠବନ୍ଧନରେ ହେବୁ ନାହିଁ ସାମିଲ୍, ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର ବି ସମ୍ଭାବନା ନାହିଁ

245

କନକ ବ୍ୟୁରୋ: ଜାତୀୟ ମହାମେଂଟରେ ବିଜେଡି ସାମିଲ ହେବା ନେଇ ଦୀର୍ଘ ଦିନ ହେବ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁ ଜନତା ଦଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିଠାରୁ ସମଦୂରତା ରଖିଛନ୍ତି । ଏହା ସହିତ କୌଣସି ମହାମେଂଟରେ ସାମିଲ ହେବ ନାହିଁ ।ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ବିଜେପି-କଂଗ୍ରେସ ବିରୋଧରେ ମହାମେଂଟ ଗଠନ ଉଦ୍ୟମକୁ ବି ବଡ ଝଟକା ଲାଗିଛି । ଏହି ଘୋଷଣା ପରେ ମହାମେଂଟ ଗଠନ ନେଇ ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଉଦ୍ୟମକୁ ବଡ ଧକ୍କା ଲାଗିଛି ।

ଗତମାସରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ମହାମେଂଟ ଗଠନ ନେଇ ଉଦ୍ୟମ ଆରମ୍ଭ କରିଥିଲେ ଚନ୍ଦ୍ରଶେଖର ରାଓ । ଏପରିକି ନିକଟରେ ଭୁବନେଶ୍ୱର ଆସିଥିବେଳେ ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ମଧ୍ୟରେ ମହାମେଂଟ ଗଠନ ନେଇ ଆଲୋଚନା ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା । ଏପରିକି ଚର୍ଚ୍ଚା ଜୋର ଧରିଥିଲା ଯେ, ବିଜେଡି, ଟିଆରଏସ ଓ ଅନ୍ୟ କିଛି ଆଂଚଳକି ଦଳକୁ ନେଇ ଗଠନ ହୋଇପାରେ ମହାମେଂଟ ।

ଚନ୍ଦ୍ରଶେଖର ରାଓ ଏ ବାବଦରେ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ କୋଲାକାତା ଯାଇଥିଲେ । କିନ୍ତୁ ମହାମେଂଟରେ ବିଜେଡି ସାମିଲ ହେବନି ବୋଲି ସ୍ପଷ୍ଟ କରିବା ପରେ ଚନ୍ଦ୍ରଶେଖର ରାଓଙ୍କ ପରବର୍ତୀ ରଣନୀତି କଣ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ମନ୍ତ୍ରିମଣ୍ଡଳର ସଂପ୍ରସାରଣକୁ ବି ସେ ଖଣ୍ଡନ କରିଛନ୍ତି । କହିଛନ୍ତିି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ବର୍ତମାନ କୌଣସି ସମ୍ଭାବନା ନାହିଁ ।