ଦିଲ୍ଲୀ ଦରବାରରେ ନକ୍ସଲ ଦମନ ଚିନ୍ତା । ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାନସ-ମନ୍ଥନ, ମାଓ ମୁକାବିଲା ପାଇଁ ବିକାଶର ବାଟ ଦେଖାଇଲେ ନବୀନ ।

319

କନକ ବ୍ୟୁରୋ : ଦିଲ୍ଲୀ ଦରବାରରେ ନକ୍ସଲ ଦମନ ଚିନ୍ତା । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓଡିଶାର ମାଓ ରଣନୀତି ବାବଦରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ପାଇଁ ୩ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ମାଓ ପ୍ରଭାବିତ ଅଂଚଳରେ ରେଳ ସଂଯୋଗୀକରଣ, ବ୍ୟାଙ୍କିଂ ବ୍ୟବସ୍ଥା ଏବଂ ଟେଲି ସୁବିଧାକୁ ମଜବୁତ କରିବା ଜରୁରୀ ।

ମାଓ ମୁକାବିଲା ପାଇଁ ନବୀନଙ୍କ ୩ ସୁତ୍ରୀ ଫର୍ମୁଲା । ରେଳ ସୁବିଧା, ବ୍ୟାଙ୍କିଂ ସୁବିଧା ଏବଂ ଟେଲି ସୁବିଧା । ଓଡ଼ିଶାରେ ମାଓ ମୁକାବିଲା ରଣନୀତିକୁ ଆହୁରି ମଜବୁତ କରିବା ପାଇଁ ବିକାଶର ବାଟକୁ ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ଓଡ଼ିଶାର ମାଓ ପ୍ରଭାବିତ ଅଂଚଳରେ ରେଳ ସଂଯୋଗୀକରଣ, ବ୍ୟାଙ୍କିଂ ବ୍ୟବସ୍ଥା ଏବଂ ଟେଲି ସୁବିଧାକୁ ମଜବୁତ କରିବା ସପକ୍ଷରେ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏମିତି କି ନବରଙ୍ଗପୁର-ମାଲକାନଗିରିକୁ ରେଳ ସଂଯୋଗ ଉପରେ ଗୁରୁତ୍ୱ ଦେବା ସହ କେନ୍ଦ୍ର ପଦକ୍ଷେପ ନେଲେ ମାଗଣାରେ ଜମି ଯୋଗାଇ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିଥିବା ବୈଠକରେ ୭ଟି ମାଓ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଯେଉଁଥିରେ ଓଡିଶା ନେଇ ଏହି ୩ଟି ଦାବି ଉଠାଇଛନ୍ତି ନବୀନ ପଟ୍ଟନାୟକ । ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ମନ୍ତ୍ରାଳୟ ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ନକ୍ସଲ ପ୍ରଭାବିତ ରାଜ୍ୟ ଓଡିଶା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଉତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ । ବୈଠକରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ବେଳେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନଥିଲେ ।