ନବୀନ ଶୁଝିଲେ ୨୦୧୫ରେ ଆଣିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ୧୫ଲକ୍ଷ ଟଙ୍କାର ଋଣ । ଜାଣନ୍ତୁ ମୁଖ୍ୟମନ୍ତ୍ରୀ ସମ୍ପତ୍ତି ବାବଦରେ ପୂରା ତଥ୍ୟ ।

541

କନକ ବ୍ୟୁରୋ : ଉଭଣୀ ଗୀତା ମେହଟାଙ୍କ ଋଣ ସୁଝିଲେ ନବୀନ । ୨୦୧୫ରେ ଭଉଣୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ କରିଥିଲେ ନବୀନ । ତେବେ ଏଥର ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ପତି ତାଲିକାରେ ଏହି ଋଣ କଥା ଦର୍ଶାଇ ନାହାନ୍ତି । ନିଜ ସମ୍ପତି ତାଲିକା ସାର୍ବଜନୀନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ମୋଟ୍ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୬୪ କୋଟି ୯୮ ଲକ୍ଷ ଟଙ୍କା ରହିଛି । ଏହି ତାଲିକାରେ ନବୀନ ତାଙ୍କର ଆମ୍ବାସଡର କାର୍ କଥା ଦର୍ଶାଇଛନ୍ତି । ଯାହାର ଦାମ୍ ୮ ହଜାର ୯ ଶହ ଟଙ୍କା ହବ ବୋଲି କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତି ତାଲିକା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ଥାବର ଅସ୍ଥାବର ସଂପତି କଥା ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସଂପତି ତାଲିକାରୁ ଅନେକ ରୋଚକ ତଥ୍ୟ ମଧ୍ୟ ସାମନାକୁ ଆସିଛି ।

ବେଶ କିଛି ବର୍ଷ ହେଲା ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ ନେଇଥିବା ନେଇ ଦର୍ଶାଇ ଆସୁଥିଲେ ନବୀନ । ଏଥର କିନ୍ତୁ ସେ ଋଣ ରାଶି ନବୀନଙ୍କ ସଂପତି ତାଲିକାରେ ନାହିଁ । ଅର୍ଥାତ ଭଉଣୀଙ୍କ ଠାରୁ ଆଣିଥିବା ଋଣ ପରିଶୋଧ କରି ଦେଇଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀଙ୍କ ମୋଟ ସଂପତ୍ତି ୬୪ କୋଟି ୯୮ ଲକ୍ଷ ଟଙ୍କା । ସ୍ଥାବର ସଂପତ୍ତି ୬୩ କୋଟି ୬୪ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂପତ୍ତି ତାଲିକା ଦେଇଛନ୍ତି, ସେଥିରୁ ବଡ଼ ଭାଗ ରହିଛି ଉତ୍ତରାଧିକାର ସୂତ୍ରରେ ପାଇଥିବା ସଂପତ୍ତି । ଅଥାତ୍ ବାପା ବିଜୁ ପଟ୍ଟନାୟକ ଓ ମାଆ ଜ୍ଞାନ ପଟ୍ଟନାୟକଙ୍କ ଠାରୁ ପାଇଥିବା ସଂପତି ।

ନବୀନଙ୍କ ସ୍ଥାବର ସଂପତ୍ତି :
ନବୀନଙ୍କ ନାଁରେ ଫରିଦାବାଦରେ ରହିଛି ୨୨.୭ ଏକର ଚାଷ ଜମି । ଯାହାକୁ ସେ ତାଙ୍କ ମାଆ ଜ୍ଞାନ ପଟ୍ଟନାୟକଙ୍କ ଠାରୁ ପାଇଛନ୍ତି ଉତ୍ତରାଧିକାର ସୂତ୍ରରେ । ଯାହାର ଦାମ ୨୦୧୭ର ଭ୍ୟାଲୁଏସନ୍ ଅନୁସାରେ ୧୦ କୋଟି ୭୫ ଲକ୍ଷ ଟଙ୍କା । ଏହି ଜମିକୁ ବିକିବା ପାଇଁ ଏଗ୍ରିମେଂଟ ହୋଇଛି । ସେଥିପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ମଧ୍ୟ ନେଇଛନ୍ତି ନବୀନ ।
ସେହିପରି ବାପା ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ନୂଆ-ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସଂପତ୍ତିର ଅଧା ଭାଗ ପାଇଛନ୍ତି ନବୀନ । ୨୦୧୪ ମସିହା ଭ୍ୟାଲୁଏସନ୍ ଅନୁଯାୟୀ ଯାହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ଟଙ୍କା ।
ଭୁବନେଶ୍ୱରରେ ଥିବା ନବୀନ ନିବାସର ଦୁଇ-ତୃତୀୟାଂଶ ରହିଛି ମୁଖ୍ୟମନ୍ତ୍ରୀଙ୍କ ନାଁରେ । ୨୦୧୭ ଭ୍ୟାଲୁଏସନ୍ ଅନୁସାରେ ଏହାର ମୂଲ୍ୟ ହେଉଛି ୯ କୋଟି ୫୨ ଲକ୍ଷ ।

ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ସଂପତ୍ତିକୁ ଛାଡ଼ିଦେଲେ ତାଙ୍କ ପାଖରେ ରହିଛି ୧ କୋଟି ୩ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ । ଅନ୍ୟ ସଂଚୟ ଖାତାରେ ଥିବା ଟଙ୍କାକୁ ମିଶାଇଲେ ମୋଟ ବ୍ୟାଙ୍କ ଜମା ରହିଛି, ୧ କୋଟି ୩୧ ଲକ୍ଷ ୬ ହଜାର ଟଙ୍କା । ତେବେ ଆଉ ଏକ ରୋଚକ ତଥ୍ୟ ହେଉଛି ନବୀନଙ୍କ ନାଁରେ ରହିଛି ଏକମାତ୍ର ପୁରୁଣା ଆମ୍ବାସଡର କାର । ୧୯୮୦ ମସିହାର ଏହି ଆମ୍ବାସଡର କାରର ଦାମ ୮ ହଜାର ୯ ଶହ ଟଙ୍କା ଦର୍ଶାଯାଇଛି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଦେଇଥିବା ସଂପତ୍ତି ତାଲିକାରେ ରହିଛି, ୨ ଲକ୍ଷ ୮୯ ହଜାର ଟଙ୍କାର ସୁନା ଗହଣା ।