ଝାରସୁଗୁଡ଼ାରୁ କେନ୍ଦ୍ରକୁ କଟାକ୍ଷ କଲେ ନବୀନ ! କହିଲେ, ଉଦଘାଟନ ହେଲା ବିମାନବନ୍ଦର ହେଲେ ଉଡ଼ିଲାନି ବିମାନ ।

ଝାରସୁଗୁଡ଼ାକୁ ଶତାଦ୍ଦୀ ଏକ୍ସପ୍ରେସ ଓ କୋଇଲା ରୟାଲିଟି ଦାବି ବାରମ୍ବାର ରାଜ୍ୟ ସରକାର କରୁଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି ନବୀନ । 

136

କନକ ବ୍ୟୁରୋ: ଝାରସୁଗୁଡ଼ା ଅମଲିପାଲ୍ଲୀ ଜନସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନକୁ କଟାକ୍ଷ କରି କେନ୍ଦ୍ର ଉପରେ ନିଶାନା କରିଛନ୍ତି ନବୀନ, ଆଉ କହିଛନ୍ତି, ବିମାନବନ୍ଦର ଉଦଘାଟନ ହେଲା ସତ, କିନ୍ତୁ ବିମାନ ଉଡିଲା ନାହିଁ । ଝାରସୁଗୁଡ଼ାକୁ ଶତାଦ୍ଦୀ ଏକ୍ସପ୍ରେସ ଓ କୋଇଲା ରୟାଲିଟି ଦାବି ବାରମ୍ବାର ରାଜ୍ୟ ସରକାର କରୁଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି ନବୀନ ।

ସେପଟେ ଆଜି ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଯାଇ ଜିଲ୍ଲାରେ ୬୧୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି  । ଏହାସହ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ବରିଷ୍ଠ ନେତା ନବ ଦାସ । ତାଙ୍କ ସହ ୫ଜଣ ବ୍ଲକ ଚେୟାରମ୍ୟାନ ଓ ୮ ଜିଲ୍ଳା ପରିଷଦ ସଭ୍ୟ ଯୋଗ ଦେଇଛନ୍ତି ବିଜେଡିରେ । ଆଜି ଝାରସୁଗୁଡା ଅମଲିପାଲ୍ଲୀ ଠାରେ ଆୟୋଜିତ ଦଳୀୟ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ସଭା ମଂଚରେ କଂଗ୍ରେସ ଛାଡିଥିବା ନବ ଦାସଙ୍କୁ ବିଜେଡିକୁ ସ୍ୱାଗତ କରିଥିଲେ ନବୀନ । ଲୋକାଭିମୁଖୀ କାର୍ଯ୍ୟ ଓ ଝାରସୁଗୁଡ଼ା ଅଂଚଳର ବିକାଶ ପାଇଁ ବିଜେଡିରେ ସାମିଲ ହେଲେ ବୋଲି  କହିଛନ୍ତି ନବ । ନବ ଦାସ ବିଜେଡିରେ ମିଶିବା ପରେ ଝାରସୁଗୁଡ଼ା ରାଜନୀତି କେଉଁ ମୋଡ ନେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଏହା ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଏହାର ପ୍ରଭାବ କଂଗ୍ରେସ ଉପରେ ପଡ଼ିବନାହିଁ ।