ଆଜି ଓଡିଶା ଇନଭେଷ୍ଟର୍ସ ମିଟ୍ : ବଡ ବଡ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

71

କନକ ବ୍ୟୁରୋ : ଆଜି ଦୁବାଇରେ ଅନୁଷ୍ଠିତ ହେବ ଓଡିଶା ଇନଭେଷ୍ଟର୍ସ ମିଟ୍ । ଓଡିଶା ସରକାର ଓ ଫିକିର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ବଡ ବଡ ଶିଳ୍ପପତୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖରୁ ଦୁବାଇରେ ପହଞ୍ଚି ସାରିଛନ୍ତି ।

ଏହି ଇନଭେଷ୍ଟର୍ସ ମିଟରେ ନିଜେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ଥତବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଅବଗତ କରାଇବେ । ବିଶେଷ କରି ରାଜ୍ୟର ୬ଟି ଅଗ୍ରାଧିକାର କ୍ଷେତ୍ର ଯଥା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଡାଉନଷ୍ଟ୍ରିମ ଆଣ୍ଡ ଆନ୍ସିଲାରୀ, ଇଏସଡିଏମ୍-ଆଇଟି ଓ ଆଇଟିଏସ୍, ଅଟୋ ଓ ଅଟୋ ଯନ୍ତ୍ରାଂଶରେ ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ଆମନ୍ତ୍ରଣ କରିବେ ।

ଏହାବ୍ୟତୀତ ରାଜ୍ୟର ପ୍ରମୁଖ କ୍ଷେତ୍ର ଖଣି, ଖଣିଜ, ଧାତବ ଓ ମାନୁଫାକ୍ଚରିଂ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବାକୁ ମଧ୍ୟ ସମ୍ମିଳନୀରେ ଉଦ୍ୟମ କରାଯିବ । ଦୁବାଇର ‘ଦି ଓବରଏ’ର ବିଜନେସ୍ ବେ’ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଓ ଇପିକଲର କିଛି ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ । ସମ୍ମିଳନୀରେ ଦେଶର ଜଣାଶୁଣା ଶିଳ୍ପପତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ହିଣ୍ଡାଲକୋ, ଆଦାନି, ଜେଏସଡବ୍ଲୁ, ଜେଏସପିଏଲ୍, ମିତଲ, ଟାଟା, ଇମ୍ଫାର ପ୍ରତିନିଧି ସାମିଲ ହେବେ ।