କୋଇଲା ଖାଦାନ ବିରୋଧରେ ପ୍ରଦର୍ଶନ ପଡିଲା ମହଙ୍ଗା, ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ଉଠାଇନେଲା ଜର୍ମାନ ପୋଲିସ

127

କନକ ବ୍ୟୁରୋ : ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନର୍ବଗଙ୍କୁ ନିଜ ହେପାଜତକୁ ନେଇଛି ଜର୍ମାନୀ ପୋଲିସ । ଜର୍ମାନୀର ଏକ ଗାଁ ଲୁଏଜେରୁଥକୁ ରକ୍ଷା କରିବାକୁ ଗ୍ରେଟା ଓ ସ୍ଥାନୀୟ ଗ୍ରାମବାସୀ ଆନ୍ଦୋଳନ ଚଳାଇଥିବା ବେଳେ ଆନ୍ଦୋଳନ ସ୍ଥଳରୁ ତାଙ୍କୁ ପୋଲିସ ଉଠାଇ ନେଇଯାଇଛି । ମଙ୍ଗଳବାର ଦିନ ଏଠାରେ ଗ୍ରାମବାସୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ତାଙ୍କ ସମର୍ଥନ କରିବାକୁ ପହଂଚିଥିଲେ ସ୍ୱିଡେଶର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ।

ଗଣମାଧ୍ୟମ ରିପୋର୍ଟ ମୁତାବକ ଗ୍ରେଟା କିଛି ଲୋକଙ୍କ ସହ ଜର୍ମାନର ପଶ୍ଚିମ ସହର କୋଲନ ଓ ଡସେଲଡୋର୍ଫରେ ରାଜ୍ୟ ସରକାରଙ୍କ ଭବନ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ । ମୁଖ୍ୟତ କୋଇଲା ଖାଦାନର ବିସ୍ତାର ପାଇଁ ଯେଉଁ ରାସ୍ତା ନିର୍ମାଣ କରାଯାଉଛି ତାହାଦ୍ୱାରା ଜର୍ମାନର ଲୁଏଜେରୁଥ ଗ୍ରାମକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଯିବାକୁ ଯୋଜନା କରାଯାଇଛି । ଏହାକୁ ବିରୋଧ କରି ଗ୍ରାମବାସୀମାନେ ଆନ୍ଦୋଳନ ଚଳାଇଛନ୍ତି ।

ସେପଟେ ଗ୍ରେଟାଙ୍କୁ ଗିରଫ କରାଯାଇ ଥାନାକୁ ନିଆଯାଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ସବୁଠାରୁ ବଡକଥା କି ଗ୍ରେଟା ଜଣେ ମହିଳା ହୋଇଥିବା ବେଳେ ମହିଳା ପୋଲିସଙ୍କ ବଦଳରେ ପୁରୁଷ ପୋଲିସ ତାଙ୍କୁ ଧରି ନେଉଥିବାର ଚିତ୍ର ସମସ୍ତଙ୍କୁ ଚକିତ କରିଛି ।

ସ୍ୱିଡେନର ଏକ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଗତ କିଛିଦିନ ତଳେ ବେଶ ଚର୍ଚ୍ଚାରେ ଥିଲେ । ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସପକ୍ଷରେ ସେ ଲଗାତର ଟ୍ୱିଟ୍ କରିଥିଲେ । ସେ କୃଷକଙ୍କ ସମର୍ଥନରେ ସୋସିଆଲ ମିଡିଆରେ ଲେଖିôବା ସହ ଏକ ଟୁଲକିଟ୍ ସେୟାର କରିଥିଲେ । ଏବେ ଏହି ଟୁଲକିଟ୍ ପ୍ରସ୍ତୁତ କରିଥିବା ଲୋକ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ ହୋଇଛି ।