ପୁଣିଥରେ କ୍ଷମତା ଦଖଲ କରୁଛନ୍ତି ମୋଦି : ଦ୍ୱିତୀୟ ଥର ପୂର୍ଣ୍ଣ ବହୁମତ ପାଇ ଇତିହାସ ରଚିଲା ବିଜେପି, ସାଢେ ୩ଶହ ଛୁଉଁଛି ଏନଡିଏର ଆସନ ସଂଖ୍ୟା

192

କନକ ବ୍ୟୁରୋ : ବିଜେପିର ଐତିହାସିକ ସଫଳତା । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓ ରାଷ୍ଟ୍ରବାଦ ଆଧାରରେ ବିଜେପି ଏକାକୀ ବହୁମତ ହାସଲ କରିଛି । ସରକାର ଗଠନ ପାଇଁ ଆବଶ୍ୟକୀୟ ମ୍ୟାଜିକ ନମ୍ବର ୨୭୨କୁ ଅତିକ୍ରମ କରି ୩ଶହକୁ ଛୁଇଁଛି । ସାଢେ ୩ଶହ ଛୁଉଁଛି ଏନଡିଏର ଆସନ ସଂଖ୍ୟା । କହିବାକୁ ଗଲେ ୨୦୧୯ରେ ୨୦୧୪ ଠାରୁ ମଧ୍ୟ ଆହୁରି ବଡ ମୋଦି ସୁନାମୀ ଆସିଛି । ନେହେରୁ ଓ ଇନ୍ଦିରାଙ୍କ ପରେ କ୍ରମାଗତ ଦ୍ୱିତୀୟ ଥର ମୋଦି ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ଗଠନ କରିବାକୁ ଯାଉଛନ୍ତି ।

ଭାରତ ରାଜନୀତିର ଇତିହାସରେ ଏଭଳି ଏକ ଅଧ୍ୟାୟ ଯୋଡ଼ି ହୋଇଗଲା, ଯାହା କେବଳ ବିଜେପି କିମ୍ବା ମୋଦି-ଶାହାଙ୍କ ପାଇଁ ନୁହେଁ ବରଂ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରରେ ହୁଏତ, ଏକ ଅଭୁଲା ମୁହର୍ତ୍ତ ହୋଇ ମନେ ରହିବ । ପ୍ରଥମ ଥର ପାଇଁ ମୋଦି ଜଣେ ଅଣକଂଗ୍ରେସ ଦଳର ନେତା ଭାବେ ୫ ବର୍ଷ ପୁରଣ କରି ପୁଣି ଥରେ ଶାସନ କ୍ଷମତାକୁ ଫେରୁଛନ୍ତି । ଗଣତନ୍ତ୍ରର ଗଣିତରେ ୨୦୧୯ ନିର୍ବାଚନ ଯେଉଁ ପରିଣାମ ନେଇକି ଆସିଛି, ତାହା ନରେନ୍ଦ୍ର ମୋଦିଙ୍କୁ ଦେଶରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ନିଶ୍ଚିତ କରି ଦେଇଛି ।

ୟୁପିରେ ନା’ ମାୟାବତୀ-ଅଖିଳେଶଙ୍କ ମହାମେଂଟ ମୋଦିଙ୍କୁ ଅଟକାଇ ପାରିଲା, ନା’ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପ୍ରଭାବ ବିଜେପିର ବିଜୟ ରଥକୁ ରୋକି ପାରିଲା । ଉତ୍ତର ପ୍ରଦେଶରେ ଯେଉଁ ଜନାଦେଶ ଏନଡିଏକୁ ମିଳିଛି, ହୁଏତ କେହି କଳ୍ପନା ବି କରିନଥିଲେ ମୋଦି ମ୍ୟାଜିକ୍ ଏଭଳି ଏକ ପରିଣାମ ଆଣିଦେବ । ଅବ୍-କି ବାର୍ ୩ଶହ ପାର୍’ର ନାରା ଦେଉଥିବା ବିଜେପି, ସତକୁ ସତ ଅନାୟାସରେ ୩ଶହର ଅଙ୍କ ପାର କରିଯାଇଛି । କେବଳ ସେତିକି ନୁହେଁ ଏହି ସଂଖ୍ୟା ପାଖାପାଖି ସାଢ଼େ ୩ଶହ ଛୁଇଁଛି ।

୨୦୧୪ରେ ଥିବା ମୋଦି ଲହର, ୨୦୧୯ ଆସିଲା ବେଳକୁ ସେହି ଲହର ସୁନାମୀରେ ପରିଣତ ହୋଇଯାଇଛି । ସାରା ଦେଶରୁ ମୋଦିଙ୍କ ସମର୍ଥନରେ ଆସିଛି ବିପୁଳ ଜନମତ । ସ୍ଥିତି ଏମିତି ହୋଇଛି ଯେ, ଦେଶର ଅନେକ ରାଜ୍ୟରେ କଂଗ୍ରେସ ଖାତା ଖୋଲିବାକୁ ମଧ୍ୟ ସମର୍ଥ ହୋଇ ନାହିଁ । ହିନ୍ଦୀ ହାଟଲାଣ୍ଡରେ ପୁଣି ହୃଦୟ ଜିତିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶ, ରାଜସ୍ଥାନ ସବୁଠି ଚାଲିଛି ମୋଦିଙ୍କ ଜଲୱା ।

ଆଉ ମୋଦି ଏବଂ ଏନଡିଏର ଏହି ସଫଳତା ପାଇଁ ଦେଶ-ବିଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ । ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ମୋଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି-ଚୀନ ରାଷ୍ଟ୍ରପତି ସି ଚିଙ୍ଗପିନ୍, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେନଜାମିନ୍ ନେତାନ୍ହ୍ୟୁଙ୍କ ଭଳି ଅନେକ ବିଶ୍ୱସ୍ତରୀୟ ନେତା ।

Comments are closed.