ବଙ୍ଗରେ ଲାଗିଛି ‘ନାଗରିକତା’ ନିଆଁ: ମୋଦିଙ୍କୁ ଖୋଲା ଆହ୍ୱାନ ଦେଲେ ମମତା । କହିଲେ, ମୋ ଶବ ଉପରେ ପଶ୍ଚିମବଙ୍ଗରେ ଆଇନ ଲାଗୁ କରୁ କେନ୍ଦ୍ର

560

କନକ ବ୍ୟୁରୋ: କଲିକତାରେ ମମତା ବାନାର୍ଜୀଙ୍କ ପ୍ରତିବାଦ, ଦିଲ୍ଲୀରେ ପ୍ରିୟଙ୍କା ଗାନ୍ଧୀଙ୍କ ଧାରଣା, ଶାନ୍ତି ଓ ସଦଭାବନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ଆଉ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଆଡଭାଇଜରି ହିଁ ବୟାନ କରୁଛି, ନୂଆ ନାଗରିକତା ଆଇନ ସାରା ଦେଶରେ କେଉଁ ଭଳି ଏକମାହୋଲ ସୃଷ୍ଟି କରିଛି । ତେବେ ମୋଦି ବିରୋଧୀ ଭାବେ ବେଶ ଜଣାଶୁଣା ମମତା ବାନାର୍ଜୀ, ନାଗରିକତା ଆଇନ ବିରୋଧରେ ସଂଭାଳିଛନ୍ତି ମୋର୍ଚ୍ଚା । ଆଉ ଧମକ ଦେଇଛନ୍ତି ଯେ ମୋ ଶବ ଉପରେ ପଶ୍ଚିମବଙ୍ଗରେ ଆଇନକୁ କାର୍ଯ୍ୟକାରୀ କରିବେ କେନ୍ଦ୍ର ସରକାର । ହଜାର ହାଜର ସମର୍ଥକଙ୍କ ଗହଣରେ କୋଲକାତାରେ ନାଗରିକତା ଆଇନକୁ ବିରୋଧରେ ରାଲି କରିଛନ୍ତି ମମତା । ନାଗରିକତା ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ସେପଟେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ନାଗରିକତା ଆଇନ ବିରୋଧରେ କଂଗ୍ରେସ ପ୍ରତିବାଦର ମଙ୍ଗ ଧରିଛନ୍ତି । ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଧାରଣାରେ ବସିଛନ୍ତି । ଦେଶର ସମ୍ବିଧାନ ଓ ଛାତ୍ରଛାତ୍ରୀଙ୍କ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ଇଣ୍ଡିଆଗେଟରୁ ଆହ୍ୱାନ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ସବୁଠାରୁ ବଡ଼ କଥା ହେଉଛି, ଉତ୍ତର-ପୂର୍ବ ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ସୋମବାର ଆଲିଗଡ଼, ବନାରସ, ହାଇଦ୍ରାବାଦ, ଚେନ୍ନାଇ ଭଳି ଦେଶର ଅନେକ ପ୍ରମୁଖ ସହରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ସାରା ଦେଶରେ ଯେତେବେଳେ ନାଗରିକତା ଆଇନକୁ ନେଇ ପ୍ରତିବାଦ ହେଉଛି, ଏଥିରୁ ଓଡ଼ିଶା ବି ବାଦ୍ ପଡ଼ିନି । କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ମୁସଲିମ ଦଳିତ ସୁରକ୍ଷା ମଂଚ । ନାଗରିକତା ସଂଶୋଧନ ଆଇନ ଓ ଏନଆରସି ହଟାଓ ଦାବିରେ ନାରାବାଜି କରିଛନ୍ତି ପ୍ରତିବାଦକାରୀ ।

ତେବେ ଏସବୁ ଭିତରେ ଶାନ୍ତି ଓ ସଦଭାବନା ରକ୍ଷା କରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଟ୍ୱିଟ୍ କରି ଲେଖିଛନ୍ତି- ନାଗରିକତା ଆଇନକୁ ନେଇ ହେଉଥିବା ହିଂସାକାଣ୍ଡ ଦୁର୍ଭାଗ୍ୟଜନକ । ଆଲୋଚନା, ବିତର୍କ ଏବଂ ଶାଳୀନତା ଆମ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କିନ୍ତୁ ଭଙ୍ଗାରୁଜା କରି ସାଧାରଣ ଜୀବନକୁ ପ୍ରଭାବିତ କରିବା ଆମର ପ୍ରକୃତି ନୁହେଁ ।

ଗୃହମନ୍ତ୍ରାଳୟ ପକ୍ଷରୁ ବି ଶାନ୍ତି-ଶୃଙ୍ଖଳା ରକ୍ଷା କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଆଡଭାଇଜରିରେ କୁହାଯାଇଛି, ହିଂସାତ୍ମକ ଘଟଣାକୁ ଦୃଷ୍ଟିରେ ରାଜ୍ୟ ସରକାରଗୁଡ଼ିକ ଆଗୁଆ ପଦକ୍ଷେପ ନିଅନ୍ତୁ ଏବଂ ସାଧାରଣ ଧନଜୀବନର ସୁୂରକ୍ଷାକୁ ନିଶ୍ଚିତ କରନ୍ତୁ ।