କନକ ବ୍ୟୁରୋ : ସମୟ ଗଡୁଛି, ଟି-୨୦ ବିଶ୍ୱକପ ପାଇଁ ଉକ୍ରଣ୍ଠା ବଢୁଛି । ଆଉ ମାତ୍ର କିଛି ଦିନର ଅପେକ୍ଷା, ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଏଥିପାଇଁ ଟିମ୍ ଗୁଡିକ ପ୍ରସ୍ତୁତିକୁ କରିଛନ୍ତି ଜୋରଦାର । ଟି-୨୦ ବିଶ୍ୱକପରେ କେଉଁ ଟିମ୍ ବାଜିମାତ କରିବ ତାକୁ ନେଇ ଆରମ୍ଭ ହୋଇଛି ଭବିଷ୍ୟବାଣୀ ଟ୍ରେଣ୍ଡ । ଆଉ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ୟୁନଭର୍ସ ବସ୍ ତଥା ୱେଷ୍ଟଇଣ୍ଡିଜର କ୍ରିକେଟର କ୍ରିସ୍ ଗେଲ । କାରବିଆନ ଟିମର ଏହି ଦୁର୍ଦ୍ଦଷ ବ୍ୟାଟର ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ କିଛି ମାତ୍ରାରେ ନିରାଶ କରିବ ନିଶ୍ଚୟ ।

Advertisment

ଏକ ସାକ୍ଷାତକାରରେ କ୍ରିସ୍ ଗେଲ କହିଛନ୍ତି, ଟି-୨୦ ବିଶ୍ୱକପ ଜିତିବା ରେସରେ ଟିମ୍ ଇଣ୍ଡିଆ ରହିଛି ସତ କିନ୍ତୁ ଭାରତ ଠାରୁ ୱେଷ୍ଟଇଣ୍ଡିଜ ଟି-୨୦ ଫାଇନାଲ ଖେଳିବା ପାଇଁ ଅଧିକ ଦାବିଦାର । ଏପରିକି ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି କ୍ରିସ୍ ଗେଲ । ଏହାସହ ସେ କହିଛନ୍ତି, କିରଣ ପୋଲାର୍ଡ, ଆନ୍ଦ୍ରେ ରସେଲ ଓ ଡ୍ୱେନ ବ୍ରାଭୋଙ୍କ ଭଳି ଟିମରେ ନାହାନ୍ତି ସତ ଯାହା ଦଳ ପାଇଁ କିଛି ମାତ୍ରାରେ ସମସ୍ୟା ସୃଷ୍ଟି କରିପାରେ କିନ୍ତୁ ଫାଇନାଲ ରେସ ପାଇଁ ଏହା ସେତେଟା କଷ୍ଟସାଧ୍ୟ ହୋଇନପାରେ । କାରଣ ୱେଷ୍ଟଇଣ୍ଡିଜର ଟି-୨୦ ଟିମରେ ଅନେକ ପ୍ରତିଭାବାନ ଖେଳାଳୀ ସାମିଲ ହୋଇଛନ୍ତି ଏବଂ ଏହି ଯୁବ ଓ ପ୍ରତିଭାବାନ ଖେଳାଳୀ କୌଣସି ବି ଟିମ୍ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ତେଣୁ ମ୍ୟାଚ୍ ଦିନ ସଠିକ ରଣକୌଶଳ ସହ ମୈଦାନକୁ ଓହ୍ଲାଇବା ସହ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ।

ଚଳିତ ଟି-୨୦ ବିଶ୍ୱକପରେ ୨ ଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜ ଟିମ୍ ସୁପର-୧୨ ପର୍ଯ୍ୟାୟକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିପାରିନାହିଁ । ବରଂ ସୁପର-୧୨ ପର୍ଯ୍ୟାୟକୁ ଯିବାକୁ ହେଲେ ରାଉଣ୍ଡ ପର୍ଯ୍ୟାୟ ଗ୍ରୁପରେ ଟପ୍-୨ ଟିମ ମଧ୍ୟରେ ରହିବା ଆବଶ୍ୟକ । ରାଉଣ୍ଡ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ନକଲେ ୱେଷ୍ଟଇଣ୍ଡିଜର ଟି-୨୦ ବିଶ୍ୱକପ ଅଭିଯାନ ଶେଷ ହେବ । ନିକୋଲାସ ପୁରନଙ୍କ ନେତୃତ୍ୱରେ ଚଳିତ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ୱେଷ୍ଟଇଣ୍ଡିଜ ଟିମ୍ । ବିସ୍ଫୋରକ ବ୍ୟାଟର, ଷ୍ଟାର ଅଲରାଉଣ୍ଡର ଓ ଦ୍ରୁତ ବୋଲରଙ୍କୁ ନେଇ ୱେଷ୍ଟଇଣ୍ଡିଜର ଟିମ୍ ବେଶ ସନ୍ତୁଳିତ । ତେବେ ଗତ ଗୋଟିଏ ବର୍ଷ ମଧ୍ୟରେ ଦଳ ସେଭଳି ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି ।

ପୂର୍ବତନ ଅଧିନାୟକ ଡାରେନ ସାମିଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ୨୦୧୨ ଓ ୨୦୧୬ରେ ଚାମ୍ପିୟନ ହୋଇଥିଲା । ଏପରିକି ୨୦୧୬ ଚାମ୍ପିୟନ ଟିମର ସଦସ୍ୟ ଥିଲେ କ୍ରିସ୍ ଗେଲ । ତେବେ ଗତବର୍ଷ ହୋଇଥିବା ଟି-୨୦ ବିଶ୍ୱକପ ପରଠାରୁ ୱେଷ୍ଟଇଣ୍ଡିଜ ପକ୍ଷରୁ କ୍ରିସ୍ ଗେଲଙ୍କୁ ଖେଳିବାକୁ ସୁଯୋଗ ମିଳିନାହିଁ । ଟି-୨୦ ଫର୍ମାଟରେ ସବୁଠୁ ଅଧିକ ରନ୍ କରିଥିଲେ ମଧ୍ୟ କ୍ରିସ୍ ଗେଲ ଏବେ ଦଳ ପାଇଁ ଅଲୋଡା । ତେବେ କ୍ରିସ୍ ଗେଲଙ୍କ ଭବିଷ୍ୟବାଣୀ କେତେ ମାତ୍ରାରେ ସତ ସାବ୍ୟସ୍ତ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ ।

ଅନ୍ୟପଟେ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ସହ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ରୋହିତ ବାହିନୀ ଏଥିପାଇଁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଥିବା ବେଳେ ପ୍ରଥମ ଅଭ୍ୟାସ ମ୍ୟାଚରେ ବିଜୟୀ ମଧ୍ୟ ହୋଇଛି ।