ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ବନ୍ଦ କର ! ମାଓ ସଂଗଠନକୁ ଦୂର୍ବଳ କର . . ଅବକାରୀ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

40

କନକ ବ୍ୟୁରୋ: ମାଓବାଦୀ ଚାନ୍ଦା ଆଦାୟ ଉପରେ ରାଜ୍ୟ ସରକାରଙ୍କ କଡା ନଜର । ଓଡିଶା, ଝାରଖଣ୍ଡ ଓ ଛତିିଶଗଡରୁ ବାର୍ଷିକ ପ୍ରାୟ ୨ଶହ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମାଓବାଦୀଙ୍କ ପକେଟକୁ ଯାଉଥିବାରୁ ଏହା ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ମାଓବାଦୀ କାର୍ଯ୍ୟକଳାପ ପାଇଁ କେଉଁ ସୂତ୍ରରୁ ଟଙ୍କା ଆସୁଛି ସେସବୁକୁ ଦେଖି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବି ନିର୍ଦ୍ଦେଶ ଦିଆଯାଇଛି ।

ବିଛିନାଞ୍ଚଳର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷ ହିଁ ମାଓବାଦୀଙ୍କ ପ୍ରମୁଖ କଲେକ୍ସନ । ମାଓ ପ୍ରଭାବିତ ଇଲାକାରେ ଏହି ଚାଷରେ ଅର୍ଥ ବିନିଯୋଗ କରି ମାଓବାଦୀ ଲାଭବାନ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି ପୁଲିସ । ଏହି ଗଞ୍ଜେଇ ଚାଷ ସେମାନଙ୍କୁ ମାଲେମାଲ କରୁଛି । ତେଣୁ ଗତ ୨୩ ଅଗଷ୍ଟରେ ଅବକାରୀ ବିଭାଗର ସମୀକ୍ଷା ବୈଠକରେ ଏ ଦିଗରେ ଧ୍ୟାନଦେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କଡା ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ଭାଙ୍ଗ ବା ଗଞ୍ଜେଇ ଚାଷ ହେଉଥିବାର ଖବର ମିଳୁଛି ତୁରନ୍ତ ତାହାକୁ ନଷ୍ଟ କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ସଚିବ ଅସିତ ତ୍ରିପାଠୀ ଓ ପୁଲିସ ଡିଜି କେ.ବି ସିଂ ମଧ୍ୟ ଆକ୍ସନ ପ୍ଲାନ ଜରିଆରେ ଏହାର ମୂଳପୋଛ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । କ୍ରାଇମବ୍ରାଂଚ ମଧ୍ୟ ଏକ୍ଷେତ୍ରରେ ସହାୟତା କରିବ ବୋଲି ଜଣାପଡିଛି ।

ଅନୁଗୁଳ, ଦେବଗଡ, ସମ୍ବଲପୁର, ବୌଦ, କନ୍ଧମାଳ, ଗଜପତି, ରାୟଗଡା, ମାଲକାନଗିରି ଓ ନୟାଗଡରେ ମାଓବାଦୀମାନେ ପ୍ରଭାବ ବିସ୍ତାର କରି ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀରେ ପରିଣତ କଲେଣି । ତେଣୁ ସ୍ୱତନ୍ତ୍ର ଅପରେସନ ଜରିଆରେ ଏହି ୯ଟି ଜିଲ୍ଲାରୁ ପ୍ରଥମେ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଯୋଜନା କରୁଛି ଗୃହ ବିଭାଗ । ଯଦିଓ ଏହିସବୁ ଜିଲ୍ଲା ମାଓ ପ୍ରଭାବିତ ଇଲାକା ଭାବେ ପରିଚିତ ତେବେ ମାଲକାନଗିରିରେ ଏମାନଙ୍କ ଉପସ୍ଥିତି ବେଶ ଅଧିକ । ତେଣୁ ମାଲକାନଗିରିକୁ ଅଧିକ ଫୋକସ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଓବାଦୀମାନେ କବଜା କରୁଥିବା ବେଳେ ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ରୋକାଯାଇପାରିଲେ ଏମାନଙ୍କ ପକେଟକୁ ଟଙ୍କା ଆସିବ ନାହିଁ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ଇଂଟେଲିଜେନ୍ସି ରିପୋର୍ଟ ମୁତାବକ ବିମୁଦ୍ରାକରଣ ଏମାନଙ୍କୁ ବେଶ ପ୍ରଭାବିତ କରିଛି । ଅନେକ ପୁରୁଣା ନୋଟ ଅଚଳ ହେବା ପରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିଆସିଛି । ଓଡିଶା, ଛତିଶଗଡ ଓ ଝାରଖଣ୍ଡରେ ମାଇନିଙ୍ଗ କମ୍ପାନୀ, କଣ୍ଟ୍ରାକ୍ଟର, କେନ୍ଦୁପତ୍ର ଟେଡର୍ସ, ବାଉଁଶ ଓ ଅନ୍ୟାନ୍ୟ ବନ୍ୟଜାତ ସାମଗ୍ରୀ ବ୍ୟବସାୟ କରୁଥିବା ଲଜେନ୍ସିମାନଙ୍କ ଠାରୁ ବର୍ଷକୁ ପ୍ରାୟ ୨ଶହ କୋଟି ଟଙ୍କା ଆଦାୟ କରନ୍ତି ମାଓବାଦୀ । ଯାହା ବିମୁଦ୍ରାକରଣ ଦ୍ୱାରା ପ୍ରଭାବିତ ହୋଇଛି । ପୁଲିସ ବିରୁଦ୍ଧରେ ଯେ କୌଣସି କାର୍ଯ୍ୟକଳାପ ପାଇଁ ଟଙ୍କାର ଆବଶ୍ୟକତା ଥିବାବେଳେ ଟଙ୍କା ନଥିଲେ କୌଣସି କାର୍ଯ୍ୟକଳାପ ହୋଇପାରିବ ନାହିଁ । ତେଣୁ ଏଦିଗରେ ପଦକ୍ଷେପ ନେଇ ମାଓ ଶକ୍ତିକୁ ଦୁର୍ବଳ କରିବାକୁ ପୁଲିସ ଚିନ୍ତା କରୁଛି ।