ଚିଟଫଣ୍ଡ ଦୁର୍ନୀତି: ପକ୍ଷଭୁକ୍ତ ହେଲା କୋ-ଅପରେସନ ମନ୍ତ୍ରାଳୟ । ପକ୍ଷ ରଖିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

76

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଶୁଣାଣି ଚାଲିଥିବାବେଳେ ପକ୍ଷଭୁକ୍ତ ହୋଇଛି କେନ୍ଦ୍ର କୋ-ଅପରେସନ ମନ୍ତ୍ରାଳୟ । କୋର୍ଟ ବି ପକ୍ଷ ରଖିବାକୁ କେନ୍ଦ୍ରର ଆବେଦନକୁ ଗ୍ରହଣ କରିଛନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଏହି ବିଭାଗର ଦାୟିତ୍ୱରେ ଥିବାରୁ ଆଗାମୀ ଦିନରେ ତଦନ୍ତ ରୋଚକ ହେବ ବୋଲି କୁହାଯାଉଛି । ଅନ୍ୟପଟେ କୋର୍ଟରେ ନୋଟ୍ ଦାଖଲ କରିଛନ୍ତି ଆମିକସ କ୍ୟୁରି ।

  • ପକ୍ଷଭୁକ୍ତ ହେଲା କୋ-ଅପରେସନ ମନ୍ତ୍ରାଳୟ
  • ପକ୍ଷ ରଖିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ଚିଟଫଣ୍ଡ ଦୁର୍ନୀତିକୁ ନେଇ ଶୁଣାଣି ପୂର୍ବରୁ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଗୌରବ ଅଗ୍ରୱାଲ ୧୧ ପୃଷ୍ଠାର ନୋଟ୍ ଦାଖଲ କରିଛନ୍ତି । ନୋଟରେ ସିବିଆଇ, ରାଜ୍ୟ ସରକାର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦତ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଉଲ୍ଲେଖ କରାଯାଇଛି ।

ଆମିକସ କ୍ୟୁରି ନୋଟରେ ଦର୍ଶାଇଛନ୍ତି, ସିବିଆଇ ପକ୍ଷରୁ ୪୪ଟି ଏଫଆଇଆର ରୁଜୁ କରାଯାଇଛି । ସିବିଆଇ ୨୩ଟି ମାମଲାର ତଦନ୍ତ ଶେଷ କରିଛି । ୨୧ଟି ମାମଲାର ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କରାଯାଇଛି ଓ ତଦନ୍ତ ଜାରି ରହିଛି । ଗୋଟିଏ ମାମଲାରେ ବିଚାର ଶେଷ ହୋଇଛି ଓ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହୋଇଛି । ୧୦୭୯ କୋଟି ଟଙ୍କାର କ୍ଷତିପୂରଣ ଆଦେଶ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଆଦାୟ ହୋଇନାହିଁ । ସେହିପରି ଇଡି ପକ୍ଷରୁ ୭ଟି ମାମଲା ରୁଜୁ ହୋଇଛି । ଏପର୍ଯ୍ୟନ୍ତ ୨ଲକ୍ଷ ୧୦ହଜାର ୬୪୬ ଜମାକାରୀଙ୍କୁ ଦିଆଯାଇଛି ୮୩ କୋଟି ୪୬ଲକ୍ଷ ୩୧ ହଜାର ଟଙ୍କା । ତେବେ ଚିଟଫଣ୍ଡ ପ୍ରସଙ୍ଗକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ବୟାନବାଜି ।

ଚିଟଫଣ୍ଡ ଦୁର୍ନୀତି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଏପର୍ଯ୍ୟନ୍ତ ଟଙ୍କା ଫେରସ୍ତ ହୋଇନଥିବାରୁ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ସିବିଆଇ, ରାଜ୍ୟ ସରକାରଙ୍କୁ ନୋଟିସ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।