ଲୋକଜନଶକ୍ତି ପାର୍ଟି ଦୁଇଭାଗ ପାଇଁ ନୀତିଶଙ୍କୁ ଦୋଷ ଦେଲେ ଚିରାଗ । କହିଲେ ସୁବିଧାବାଦୀ ନେତାଙ୍କ ପାଇଁ ଦଳର ଏପରି ଦଶା । ପଶୁପତି ପାରଶ ସଂସଦୀୟ ଦଳ ନେତା ହେବା ବେଆଇନ

247

କନକ ବ୍ୟୁରୋ: ଲୋକ ଜନଶକ୍ତି ପାର୍ଟିରେ କ୍ଷମତା କନ୍ଦଳ ଭିତରେ ପ୍ରଥମ ଥର ମୁହଁ ଖୋଲି କାକା ଓ ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଏଭଳି ଭାଷାରେ ବର୍ଷିଛନ୍ତି ଚିରାଗ ପାଶୱାନ । କହିଛନ୍ତି ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କୁ ଏଲଜେପି ଶକ୍ତି ଦେଖାଇବାରୁ ଦଳ ଭାଙ୍ଗିବାକୁ ଷଡଯନ୍ତ୍ର ହୋଇଛି । ଆଉ ସଂଘର୍ଷ ରାଜନୀତି ନକରିବାକୁ ଚାହୁଁଥିବା ନେତା ସେମାନଙ୍କ ସହ ହାତ ମିଳାଇଥିବା କହିଛନ୍ତି ଚିରାଗ ପାଶୱାନ ।

ଅନ୍ୟପଟେ ପଶୁପତି ପାରଶ କହିଛନ୍ତି ଦଳରେ ଏକଛତ୍ରବାଦ ଚାଲିବାରୁ ନିଷ୍ପତି ନେବାକୁ ବାଧ୍ୟ ହେଲେ ଘର କଥା ଘରେ ସମାଧାନ କରିବାକୁ ଚାହୁଁଥିଲେ । ହେଲେ ହୋଇପାରିଲାନି, ଆଗକୁ ସବୁ ପ୍ରକାର ଲଢେଇ ଲଢିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଚିରାଗ । ପଶୁପତି ପାରସଙ୍କୁ ସଂସଦୀୟ ଦଳ ନେତା ନିର୍ବାଚିତ ହେବା ଘଟଣାକୁ ମଧ୍ୟ ଦଳର ସମ୍ବିଧାନ ଅନୁସାରେ ବେଆଇନ ବୋଲି କହିିଛନ୍ତି ଚିରାଗ ।

ଚିରାଗଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଓ ସଂସଦୀୟ ଦଳ ନେତା ପଦରୁ ହଟାଇ ଦେଇଛନ୍ତି ପଶୁପତି ପାରସ ଗୋଷ୍ଠୀ । ପଶୁପତିଙ୍କୁ ଏଲଜେପିର ସଂସଦୀୟ ଦଳ ନେତା ମନୋନୀତ କରାଯାଇଛି । ଏହାପରେ ଚିରାଗ ପାଶୱାନ ୫ ସାଂସଦଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।
ସେପଟେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପତ୍ର ଲେଖି ପଶୁପତି ପାରସଙ୍କ ସଂସଦୀୟ ଦଳ ନେତା ନିର୍ବାଚନ ବେଆଇନ ବୋଲି ଜଣାଇଛନ୍ତି ଚିରାଗ ପାଶୱାନ । ଦିଲ୍ଲୀ ସ୍ଥିତ ପଶୁପତି ପାରସଙ୍କ ବାସଭବନ ଆଗରେ ଚିରାଗଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିବାରୁ ସୁରକ୍ଷାକୁ କଡା କଡି କରିଦିଆଯାଇଛି ।