ଦିଲ୍ଲୀରେ ବଦଳିଲେ ଓଡିଆ ଆଇପିଏସ :  ଦକ୍ଷିଣ-ପୂର୍ବ ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳଙ୍କୁ ବଦଳି କଲେ ନିର୍ବାଚନ କମିଶନ୍, ଜାମିଆ ଓ ସାହିନବାଗ ଗୁଳିକାଣ୍ଡ ପରେ ଅସନ୍ତୁଷ୍ଟ ଥିଲେ କମିଶନ୍ 

194

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ଦିଲ୍ଲୀ ଡିସିପି ପଦରୁ ହଟିଲେ ଓଡିଆ ଆଇପିଏସ ଅଧିକାରୀ ଚିନ୍ମୟ ବିଶ୍ୱାଳ । ଜାମିଆ ଓ ସାହିନବାଗରେ ଦୁଇ ଦୁଇଟି ଗୁଳିକାଣ୍ଡ ପରେ ତାଙ୍କୁ ବଦଳି କରିଛନ୍ତି ନିର୍ବାଚନ କମିଶନ୍ । ୨୦୦୮ ବ୍ୟାଚର ଏହି ଓଡିଆ ଆଇପିଏସଙ୍କୁ ୨୦୧୭ ନଭେମ୍ବରରେ ଦକ୍ଷିଣ-ପୂର୍ବ ଦିଲ୍ଲୀ ଡିସିପି ଭାବେ ଦାୟିତ୍ୱ ମିଳିଥିଲା । ପୂର୍ବରୁ ସେ ଅତିରିକ୍ତ ଡିସିପି ଭାବରେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ । ତେବେ ଫେବ୍ରୁଆରୀ ୮ ତରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ତାଙ୍କ କାର୍ଯ୍ୟକଳାପରେ ନିର୍ବାଚନ କମିଶନ ଖୁସି ନଥିବା ଜାତୀୟ ଗଣମାଧ୍ୟମ ଗୁଡିକ ରିପୋର୍ଟ ପ୍ରକାଶ କରିଛନ୍ତି ।

ତାଙ୍କ ସ୍ଥାନରେ ଅତିରିକ୍ତ ଡିସିପି କୁମାର ଜ୍ଞାନେଶଙ୍କୁ ତୁରନ୍ତ ଦାୟିତ୍ୱ ନେବାକୁ କୁହାଯାଇଛି । ଏଥିସହ ନିୟମିତ ଡିସିପି ନିଯୁକ୍ତି ଲାଗି ଗୃହ ମନ୍ତ୍ରାଳୟ କିମ୍ବା ଦିଲ୍ଲୀ ପୋଲିସ କମିଶନରଙ୍କୁ ତିନିଜଣଙ୍କ ନାଁ ସୁପାରିଶ କରିବାକୁ କୁହାଯାଇଛି । ସେହିପରି ଚିନ୍ମୟ ବିଶ୍ୱାଳଙ୍କୁ ଗୃହ ମନ୍ତ୍ରାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଛି ।

 ଓଡିଶାରେ ଜନ୍ମିତ ଆଇପିଏସ ଚିନ୍ମୟ ବିଶ୍ୱାଳ ବିଜେବି ସ୍ୱୟଂଶାସିତ ମହା ବିଦ୍ୟାଳୟରେ ପାଠ ପଢିଥିଲେ । ଜାମିଆ ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଉପରେ ଆକ୍ରମଣ ସମୟରେ ସେ ପୋଲିସ ଟିମର ନେତୃତ୍ୱ ନେଇଥିଲେ । ଦିଲ୍ଲୀ ସାହିନବାଗ ଅଂଚଳରେ ସିଏଏ ବିରୋଧୀ ପ୍ରତିବାଦ ବେଳେ ଜଣେ ୨୫ ବର୍ଷୀୟ ଯୁବକ ଫାଙ୍କା ଗୁଳି ଚାଳନା କରିଥିଲେ । ପରେ ପୋଲିସ ତାଙ୍କୁ କାବୁ କରିଥିଲା । ଏଥିରେ କେହି ମୃତାହତ ହୋଇନଥିଲେ । ଏହା ପୂର୍ବରୁ ଜାମିଆ ଅଂଚଳରେ ମଧ୍ୟ ଜଣେ ନାବାଳକ ଗୁଳମାଡ କରିଥିଲେ । ଏହି ଗୁଳିକାଣ୍ଡରେ ଜଣେ ଛାତ୍ର ଗୁରୁତର ଆହତ ହୋଇଥିଲେ । ଯାହାକୁ ନେଇ ଦିଲ୍ଲୀ ରାଜନୀତି ବେସ ସରଗରମ ହୋଇଥିଲା ।