ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ: ବୟଫ୍ରେଣ୍ଡଙ୍କ ଭୂମିକା ନେଇ ଉଠିଲା ପ୍ରଶ୍ନ

336

କନକ ବ୍ୟୁରୋ: ସମ୍ବଲପୁର, ବୁର୍ଲା ପାୱାର ଚାନେଲରୁ ଡେଉଁ ପ୍ରାଣ ହରାଇଥିବା ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ବଲାଙ୍ଗୀର ସହରର ହାଟପଦା ଶ୍ମଶାନରେ ଚିନ୍ମୟୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶେଷକୃତ ସରିଛି । ସୂଚନା ଅନୁସାରେ ଚିନ୍ମୟୀଙ୍କ ଘର ବଲାଙ୍ଗୀର ସହରର ବିକ୍ରମ୍ ଛକରେ । ତାଙ୍କ ବାପା କଳାହାଣ୍ଡି ନର୍ଲାରେ ଚାକିରି କରନ୍ତି । ଝିଅକୁ ଉଚ୍ଚଶିକ୍ଷିତ କରିବା ପାଇଁ ଭିସୁଟରେ ନାମ ଲେଖାଇଥିଲେ । ଚିନ୍ମୟୀ ଜଣେ ମେଧାବୀ ଛାତ୍ରୀ ଥିଲେ । କ୍ୟାମ୍ପସରେ ଚାକିରି ପାଇବା ସତ୍ୱେ ସେ ଯୋଗ ଦେଇଥିଲେ । ଭୁବନେଶ୍ୱର ଆସି ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ ହେବାର ଲକ୍ଷ୍ୟ ରଖିଲେ । ହେଲେ ଭିସୁଟର କନଭୋକେସନକୁ ଆସିଥିବା ବେଳେ ଏହି ଅଘଟଣ ଘଟିଯାଇଥିଲା ।

ଭିସୁଟ୍୍ ଛାତ୍ରୀ ଚିନ୍ମ୍ୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଚିନ୍ମୟୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ପରେ ଅଟକ ବୟଫ୍ରେଣ୍ଡ ପ୍ରୀତିମାନ ଦେଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି । ଏହି ଘଟଣାରେ ପ୍ରୀତିମାନ ଦେ’ଙ୍କୁ ଅଟକ ରଖାଯାଇଥିବା ବେଳେ ପ୍ରୀତିମାନ ଦେଙ୍କ ଆଉ ଜଣେ ସାଙ୍ଗଙ୍କୁ ବି ଅଟକ ରଖାଯାଇଛି । ଏହି ଦୁଇ ଜଣଙ୍କ ସମେତ ଆଉ ଜଣଙ୍କୁ ମଧ୍ୟ ଅଟକ ରଖିଛି ପୁଲିସ । ତୃତୀୟ ବ୍ୟକ୍ତିଙ୍କୁ ସନ୍ଦେହ କାରଣରୁ ଅଟକ ରଖିଥିବା କୁହାଯାଉଛି । ଏହି ତୃତୀୟ ବ୍ୟକ୍ତି ଜଣକ ସନ୍ଦିଗ୍ଧ ଅବସ୍ଥାରେ ଫୋନରେ କଥାବାର୍ତା କରୁଥିବା କାରଣରୁ ଅଟକ ରଖାଯାଇଥିବ ସୂଚନା ମିଳିଛି । ପୁରା ଘଟଣା ମୋଟ୍ ୩ ଜଣଙ୍କୁ ଅଟକ ରଖାଯାଇଛି । ଏହି ଘଟଣାକୁ ନେଇ ବୁର୍ଲା ଥାନାରେ ହତ୍ୟା ମାମଲା ଅଭିଯୋଗ ହୋଇଛି । ତେବେ ପୁରା ଘଟଣାରେ ବନ୍ଧୁ ପ୍ରୀତିମାନଙ୍କ ଭୂମିକାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।

-ଯଦି ପ୍ରୀତିମାନଙ୍କ ଉପସ୍ଥିତିରେ ଚିନ୍ମୟୀ ପାୱାର ଚାନେଲକୁ ଡେଉଁଥିଲେ, ପ୍ରୀତିମାନ ଅଟକାଇବାକୁ ଚେଷ୍ଟା କରିଥିଲେ ନା’ ନାହିଁ?
– ଯଦି ଚିନ୍ମୟୀ ପାୱାର ଚାନେଲକୁ ଡେଉଁ ଆତ୍ମହତ୍ୟା କରିଛନ୍ତି, ଏହି ଆତ୍ମହତ୍ୟା ପଛରେ ପ୍ରୀତିମାନଙ୍କର କୌଣସି ଭୂମିକା ରହିଛି କି?
– ପରିବାରଙ୍କ ଅଭିଯୋଗ ଅନୁସାରେ ଚିନ୍ମୟୀଙ୍କ ବେକରେ ଚିହ୍ନ ରହିଛି, ଚିନ୍ମୟୀଙ୍କ ବେକ ଚାପିବାକୁ ପ୍ରୀତିମାନ ଉଦ୍ୟମ କରିଥିଲେ କି?
-ପାରିବାରିକ କାରଣରୁ ଯଦି ଚିନ୍ମୟୀ ଚାପରେ ଥିଲେ ସେକଥା ତାଙ୍କ ପରିବାର ଜାଣିପାରିଲେନି କେମିତି?
-ଚିନ୍ମୟୀ ପାରିବାରିକ ଚାପରେ ଥିବା ପ୍ରୀତିମାନ ଜାଣିଲେ କେମିତି ?
– ଯଦି ଚିନ୍ମୟୀ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ପାୱାର ଚାନେଲକୁ ଡେଉଁଥିଲେ ପୁଲିସକୁ ହତ୍ୟା ମାମଲା ରୁଜୁ କରିବାର ଆବଶ୍ୟକତା ପଡ଼ିଲା କାହିଁକି?
– ଚିନ୍ମୟୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି ନା’ ଘଟଣାକୁ ହତ୍ୟାର କୌଣସି ଦିଗ ଜାଣିବାକୁ ପାଇଛି?
– ସମ୍ବଲପୁର ଓ ବୁର୍ଲାରେ ଏକାଧିକ ସ୍ଥାନ ଥିବା ସତ୍ୱେ ପାୱାର ଚାନେଲକୁ ଚିନ୍ମୟୀ ଯାଇଥିଲେ କାହିଁକି? ପାୱାର ଚାନେଲକୁ ଯିବା ପଛରେ ପ୍ରୀତିମାନଙ୍କ କୌଣସି ଭୂମିକା ଥିଲା କି?