ଉତ୍ତରାଖଣ୍ଡରେ ଚୀନ ସେନାର ଅନୁପ୍ରବେଶ ନେଇ ମିଳିଲା ପ୍ରମାଣ, ପୋଲ ଭାଙ୍ଗିଥିବା ନେଇ ସୂଚନା

186

କନକ ବ୍ୟୁରୋ : ଲଦାଖର ପୂର୍ବାଞ୍ଚଳରେ ଚୀନସେନା ଅନୁପ୍ରବେଶ କରୁଥିବା ନେଇ ଚାଲିଥିବା ଚର୍ଚ୍ଚା ଭିତରେ ଏବେ ଉତ୍ତରାଖଣ୍ଡର ବାରାହୋତି ଇଲାକରେ ୧୦୦ ଅଧିକ ଚୀନସେନା ଅନୁପ୍ରବେଶ କରି ପୁଣି ଫେରିଯାଇଥିବା କଥା କୁହାଯାଇଛି । ଗଣମାଧ୍ୟମର ରିପୋର୍ଟ ମୁତାବକ ଚୀନ ସେନାର ୧୦୦ ରୁ ଅଧିକ ଯବାନ ସୀମା ପାର କରି ଭାରତ ଭିତରକୁ ପ୍ରବେଶ କରିଥିଲେ । ସେମାନେ ଉତ୍ତରାଖଣ୍ଡର ବାରାହୋତି ଅଞ୍ଚଳରେ ଅନୁପ୍ରବେଶ କରି ଏକ ପୋଲକୁ ଧ୍ୱଂସ କରିଦେଇଥିବା କଥା କୁହାଯାଉଛି ।

ସୂଚନା ମୁତାବକ ଚୀନସେନା ଏଭଳି ଘଟଣା ଅଗଷ୍ଟ ୩୦ ତାରିଖରେ କରିଥିଲେ । ଏହି ସମୟରେ ଚୀନସେନା ଭାରତ ସୀମାର ୫ କିଲୋମିଟର ଭିତରକୁ ପ୍ରବେଶ କରିଥିଲେ ଓ ସେମାନଙ୍କ ସହିତ ୫୦ ଟି ଘୋଡା ଥିବା କଥା କୁହାଯାଇଛି । ହେଲେ ଅନୁପ୍ରବେଶର କିଛି ଘଂଟା ମଧ୍ୟରେ ସେମାନେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ । ହେଲେ ଅନୁପ୍ରବେଶ ବେଳେ ସେଠାରେ ଆରମ୍ଭ କରାଯାଇଥିବା କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ନଷ୍ଟ କରିବା ସହ ଏକ ପୋଲକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିବା କଥା ସୂଚନା ମିଳିଛି ।

ଏଭଳି ଖବର ସାମ୍ନାକୁ ଆସିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲା । ହେଲେ ଦୁଭାଗ୍ୟବସତ ସେ କିଛି ଜାଣି ନଥିବା ବା ତାଙ୍କ ପାଖରେ କିଛି ସୂଚନା ନଥିବା କଥା ସେ କହିଥିଲେ । ହେଲେ ଏହାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସିଧା ବିଜେପିକୁ ଟାର୍ଗେଟ କରି ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ “ଘରେ ପଶି ମାରିବା କଥା ମିଛ, ସତ ହେଉଛି ଚୀନ ବାରମ୍ବାର ଆମ ସୀମା ଭିତରକୁ ପ୍ରବେଶ କରୁଛି ”