ଚେନ୍ନାଇରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ। ଏୟାରପୋର୍ଟରେ ପାରମ୍ପରିକ ନାଚ, ଗୀତ ସହ ଜିନପିଙ୍ଗଙ୍କୁ ଭବ୍ୟ ସ୍ୱାଗତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବ ଅନଔପଚାରିକ ସାକ୍ଷାତ

347

କନକ ବ୍ୟୁରୋ: ଏକାଠି ହେବେ ଦୁଇ ମହାଶକ୍ତିି । ଚେନ୍ନାଇ ବିମାନବନ୍ଦରରେ ପହଂଚିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ତାମିଲନାଡୁ  ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଜିନପିଙ୍ଗ । ମହାବଳିପୁରମରେ ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ଅନୈାପଚାରିକ ଆଲୋଚନା ହେବେ । ଏହାସହ କିଛି ଐତିହାସିକ ସ୍ଥାନ ପରିଦର୍ଶନ କରିବେ । ୨୪ ଘଂଟା ରହଣୀ ମଧ୍ୟରେ ୭ ଘଂଟା ସମୟ ମୋଦିଙ୍କ ସହ ଅତିବାହିତ କରିବେ ଜିନପିଙ୍ଗ । ସମୁଦ୍ର କୂଳରେ ଥିବା ମନ୍ଦିରର ସହର ମହାବଳୀପୁରମ ଚେନ୍ନାଇଠାରୁ ୬୦ କିଲୋମିଟର ଦୂରରେ ରହିଛି । ଏଠାରେ ଅନେକ ପ୍ରାଚୀନ ମନ୍ଦିର ରହିଛି । ଆଉ ଏହି ମନ୍ଦିରଗୁଡିକ ସହ ଚୀନର ବହୁ ପୁରୁଣା ସମ୍ପର୍କ ଥିବା ବିଶ୍ୱାସ କରାଯାଏ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହାବଳୀପୁରମର ଶାସକ ତିବତର ସୁରକ୍ଷା ପାଇଁ ଚୀନ ସହ ବୁଝାମଣା କରିଥିଲେ ଏବଂ ମୋଦି ଆଜି ସେହି ଇତିହାସକୁ  ଦୋହରାଇବେ । ମହାବଳୀପୁରମକୁ ପଲ୍ଲବ ରାଜା ନରସିଂହ ଦେବ ବର୍ମନ ତିଆରି କରିଥିଲେ । ସେ ଏଠାରେ ଅନେକ ମନ୍ଦିର ତିଆରି କରିଥିଲେ । ମନ୍ଦିର ଗୁଡିକ ଶୈବ ପରମ୍ପରା  ଉପରେ ଆଧାରିତ ହୋଇଛି । ଏଏସଆଇର ଖନନ ବେଳେ ଏଠାରେ ଚୀନ ଓ ରୋମର ମୁଦ୍ରା ମିଳିଛି । ତେଣୁ ବିଶ୍ୱାସ କରାଯାଉଛି, ଚୀନ ସହିତ ମହାବଳୀପୁରମର  ବ୍ୟବସାୟିକ  ସମ୍ପର୍କ ରହିଥିଲା । ମହାବଳୀପୁରମରେ ମହାଭାରତର ଅନେକ କଳାକୃତି ରହିଛି । ଅନେକ ଗୁମ୍ଫା ବି ଏଠାରେ ନିର୍ମାଣ କରାଯାଇଥିଲା । ଚୀନ ପରିବ୍ରାଜକ ହୁଏନଂସା ବି ମହାବଳୀପୁରମ ପରିଦର୍ଶନ କରିଥିଲେ । ଏଠାକାର ସଂସ୍କୃତି ସମ୍ପର୍କରେ ଅବଗତ କରାଇବେ ମୋଦି ।

ଚୀନ ରାଷ୍ଟପତି ଚେନ୍ନାଇରେ ପହଂଚିଛନ୍ତି । ଏହାପରେ ସେ ସିଧା ମହାବଳୀପୁରମ ଯିବେ । ଏଠାରେ ଅପରାହ୍ନ ୫ଟାରେ  ପ୍ରସିଦ୍ଧ ଅର୍ଜୁନ ତପସ୍ୟାସ୍ଥଳ, ପଂଚରଥ ଓ ସୋରେ ମନ୍ଦିର ଯିବେ । ଏହି ୩ ଐତିହ୍ୟସ୍ଥଳ ମହାବଳୀପୁରମର ପ୍ରସିଦ୍ଧ ସ୍ଥାନ ମଧ୍ୟରେ ସ୍ଥାନ ପାଇଛି । ଅନେକ ଇତିହାସର ମୁକସାକ୍ଷୀ ହୋଇଛି  ଏହି ୩ସ୍ଥାନ ।  ସୋରେ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମହାବଳୀପୁରମର ୩୫ଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।  ଏଥିପାଇଁ ୧୦ ହଜାର ସୁରକ୍ଷା କର୍ମୀ  ମୁତୟନ ହୋଇଛି । ଅର୍ଜୁନ ତପସ୍ୟାସ୍ଥଳରେ ମହାଭାରତର କଥାବସ୍ତୁ ବର୍ଣ୍ଣନା କରାଯାଇଛି । ଏଠାରେ ଅର୍ଜୁନ କିଭଳି ତପସ୍ୟାରତ ଥିଲେ ତାହା ଦର୍ଶାଯାଇଛି । ସୋରେ ମନ୍ଦିର ଅଷ୍ଟମ ଶତାଦ୍ଦୀରେ ନିର୍ମାଣ କରାଯାଇଥିଲା । ଗ୍ରାନାଇଟିରେ ନିର୍ମିତ ଏହି ମନ୍ଦିର ମହାବଳୀପୁରମ ଇତିହାସର ମୂକସାକ୍ଷୀ ହୋଇ ରହିଛି । ଏହା ଦକ୍ଷିଣ ଭାରତର ପୁରୁଣା ମନ୍ଦିର ମଧ୍ୟରେ ଅନ୍ୟତମ ଓ ଏଥିରେ ଦ୍ରାବିଡଙ୍କ ସଂସ୍କୃତି ଏବଂ ପରମ୍ପରା ସ୍ଥାନ ପାଇଛି । ମହାବଳିପୁରମର ପଂଚରଥ ବି  ପଲ୍ଲବ ରାଜତ୍ୱ ସମୟରେ ତିଆରି ହୋଇଥିଲା ।ବଙ୍ଗୋପସାଗର କୂଳରେ ଥିବା ଏହି ପଂଚରଥକୁ ପାଣ୍ଡବଙ୍କ ରଥ ବୋଲି ବି କୁହାଯାଏ ।

 

ତେବେ ଉଭୟ ନେତାଙ୍କ ମଧ୍ୟରେ ଆତଙ୍କବାଦ, ଅନ୍ତର୍ଜାତୀୟ ପ୍ରସଙ୍ଗ, ବ୍ୟବସାୟ, ଆତଙ୍କବାଦ, ସୀମା ବିବାଦ, ଜାତିସଂଘ  ଓ ବିଭିନ୍ନ ଆଂଚଳିକ ପ୍ରସଙ୍ଗରେ ଆଲୋଚନା ହେବ ।  ଧାରା ୩୭୦ ହଟିବା ପରେ ଦୁଇ ମହାଶକ୍ତିର ଏହା ହେବ ପ୍ରଥମ ସାକ୍ଷାତ ।  କାଶ୍ମୀର ପ୍ରସଙ୍ଗରେ  ଚୀନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଏହା ଦୁଇଦେଶ୍ର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଛି ବେଜିଂ ।  ବିଶେଷକରି ଆତଙ୍କବାଦ ଓ ବ୍ୟବସାୟ  ଉପରେ ଦୁଇଦେଶ ଅଧିକ ଫୋକସ କରିପାରନ୍ତି ।