ଚୀନର ଗୁଇନ୍ଦା ବେଲୁନ, ଆମେରିକାର ଆକ୍ସନ। ମିଜାଇଲ ମାଡ଼ରେ ବେଲୁନ୍ ଖଣ୍ଡ ଖଣ୍ଡ।

188

କନକ ବ୍ୟୁରୋ: ଚୀନର ଗୁଇନ୍ଦା ବେଲୁନ ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନ । ଆକାଶରେ ଉଡୁଥିବା ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଇଛି ଆମେରିକା । ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଣ୍ଟିକ ମହାସାଗରରେ ପଡିଛି । ଆମେରିକାର ଏୟାର ଫୋର୍ସ ଏହି ଗୁଇନ୍ଦା ବେଲୁନଟିକୁ ଉଡାଇ ଦେଇଛି । ଯାହାର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି । କୁହାଯାଉଥିଲା ଚୀନ୍ ଆମେରିକା ଆକାଶରେ ବେଲୁନ ଉଡାଇ ଗୁଇନ୍ଦା ଗିରି କରୁଥିଲା । ବେଲୁନକୁ ଧ୍ୱଂସ କରିବା ପାଇଁ ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । କାରଣ ବେଲୁନଟି ବାୟୁସୀମାରେ ପ୍ରବେଶ କରି ଦେଶର ସାର୍ବଭୌମତ୍ୱ ଉଲ୍ଲଂଘନ କରିଛି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ।

ମିଜାଇଲରେ ବେଲୁନକୁ ନଷ୍ଟ କରିବା ପରେ ଚିହିଁକି ଉଠିଛି ଚୀନ୍ । ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ବିରୋଧ କରିଛି ଚୀନ୍ । ଏଭଳି କାମ କରି ଆମେରିକା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରିଥିବା କହିଛି ଚୀନ । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢ଼ିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି । ଆଗକୁ ଏହା ଯୁଦ୍ଧର ରୂପ ନେଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ପୂର୍ବରୁ ମଧ୍ୟ ଚୀନ୍ ସହ ତାଇୱାନର ସୀମା ବିବାଦ ଭିତରେ ଆମେରିକାର ହସ୍ତକ୍ଷେପକୁ ବିରୋଧ କରିଆସୁଛି ଚୀନ୍ ।

କେତେ ବିପଦ ଥିଲା ‘ଗୁଇନ୍ଦା’ ବେଲୁନ୍?

-ଚୀନର ଗୁଇନ୍ଦା ବେଲୁନ୍ ବା ଏୟାରସିପ୍ ୩ଟି ବସ୍ ଆକାରର
-ଲମ୍ବ ୧୩୦ ଫୁଟ ଏବଂ ଚଉଡ଼ା ୧୨୦ ଫୁଟ୍
– ୮୦ ହଜାର ଫୁଟ ଉଚ୍ଚରେ ଉଡ଼ିପାରିବ
– ବେଲୁନଟି କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ହୋଇଥାଏ
– ଏହି ବେଲୁନଗୁଡ଼ିକ ହିଲିୟମ ଗ୍ୟାସ ବ୍ୟବହାର କରନ୍ତି
– ଏହା ସୌରଶକ୍ତି ଦ୍ୱାରା ପରିଚାଳିତ
– ବେଲୁନଟି ନିଜେ ନିଜର ଦିଗ ପରିବର୍ତ୍ତନ କରିବାକୁ ସକ୍ଷମ
– ବେଲୁନରେ ଛେଦ କରିବା ଦ୍ୱାରା ଗ୍ୟାସ ଲିକେଜ୍ ଧୀର ଗତିରେ ହୋଇଥାଏ
– ପୂର୍ବରୁ ୧୯୯୮ରେ କାନାଡା ବାୟୁସେନା ଏକ ବିପଥଗାମୀ ପାଣିପାଗ ବେଲୁନକୁ ତଳକୁ ଖସାଇବାକୁ ଉଦ୍ୟମ କରିଥିଲା
– ହଜାର ହଜାର ଫାୟାରିଂ ପରେ ଏହା ତଳକୁ ଖସିବା ପାଇଁ ୬ ଦିନ ଲାଗିଥିଲା

ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ପେଣ୍ଟାଗନ ଅଫିସରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ଏହି ବେଲୁନରେ ସେନସର ସହିତ ଅନେକ କିଛି ସକ୍ରିୟ ରହିଥିଲା । ତେଣୁ ହଠାତ୍ ବେଲୁନଟିକୁ ଉଡାଇବାକୁ ଚେଷ୍ଟା କଲେ ବଡ ବିସ୍ପୋରଣ ହେବାର ସମ୍ଭାବନା ମଧ୍ୟ ଥିଲା । ଏବେ ବେଲୁନଟି ଧ୍ୱଂସ ହେବା ପରେ ଚୀନ୍ର ଆଗକୁ କ’ଣ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।