ଚୀନ-ଆମେରିକା ମଧ୍ୟରେ ମୁହାଁମୁହିଁ ସ୍ଥିତିି! ଆମେରିକା ସହ ଚୀନର ହେବ ସିଧାସଳଖ ଲଢେଇ ! ଆମେରିକାକୁ ଚୀନର ସବୁଠୁ ବଡ ଧମକ 

416

କନକ ବ୍ୟୁରୋ:  ତାଇୱାନକୁ ନେଇ କିଛି ଦିନ ହେବ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବିବାଦ ଏବେ ଖୁଲମଖୁଲ୍ଲା ଧମକ ଓ ଚେତାବନୀରେ ପହଁଚିସାରିଛି । ଚୀନ ପ୍ରତିରକ୍ଷାମନ୍ତ୍ରୀ  ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ତାଇୱାନ ପ୍ରସଙ୍ଗରେ ଆମେରିକା ଯଦି ପଛକୁ ନହଟେ ତେବେ ପରିଣାମ ଭୟଙ୍କର ହେବ । ଚୀନର ପ୍ରତିରକ୍ଷାମନ୍ତ୍ରୀ  ୱିଥ ଫେଙ୍ଗେ ନିକଟରେ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲଏଡ ଅଷ୍ଟିନ ସହ ଫୋନରେ କଥା ହୋଇଥିଲେ ଓ ଏହି ସମୟରେ ତାଇୱାନକୁ ନେଇ ଚୀନର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଚୀନ କହିଛି–ଆମେରିକା ନିଜର ପ୍ରତିଶ୍ରୁତି ପୂରା କରୁ ଓ ଚୀନ ସହ ନୂଆ ଶୀତଳ ଯୁଦ୍ଧର ଆରମ୍ଭ ନକରୁ । ଆମେରିକା ତାଇୱାନର ସ୍ୱାଧୀନତାକୁ ନେଇ ନିଜର ସମର୍ଥନ ଜଣାଇବା ବନ୍ଦ କରୁ ଓ ଚୀନକୁ ଟକ୍କର ଦେବାକୁ ଚିନ୍ତା ନକରୁ । ତାଇୱାନ ଚୀନର ଅଭିନ୍ନ ଅଙ୍ଗ । ଏହାକୁ କେହି ବଦଳାଇପାରିବେନି । ଆମେରିକା ଭୁଲରେ  ମଧ୍ୟ ଚୀନର କ୍ଷମତାକୁ ନପରଖୁ । ତାଇୱାନ ପ୍ରସଙ୍ଗକୁ ସଠିକ ଭାବେ ସମ୍ଭାଳିନପାରିଲେ ଦୁଇ ଦେଶର ସର୍ମ୍ପକ ଉପରେ ଏହାର ବଡ ପ୍ରଭାବ ପଡିବ ।

ଚୀନ ଚେତାବନୀ ଉପରେ ଜବାବ ରଖିଛି ଆମେରିକା । କ୍ୱାଡ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆମେରିକା କହିଛି– ଯଦି ତାଇୱାନ ଉପରେ ଚୀନ ଆକ୍ରମଣ କରେ ତେବେ ଆମେରିକା ନିଶ୍ଚିତଭାବେ ହସ୍ତକ୍ଷେପ କରିବ । ତାଇୱାନ ଉପରେ ବଳପ୍ରୟୋଗ କଲେ ଆମେରିକା ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବ ।

ତାଇୱାନକୁ ନେଇ ଚୀନର ଉଦ୍ଦେଶ୍ୟ କଣ ସେକଥା  ସାରା ବିଶ୍ୱକୁ ଜଣା । ତେବେ ଚୀନ ପାଇଁ ବଡ ପ୍ରତିବନ୍ଧକ ସାଜିଛି ଆମେରିକା । ସେଥିପାଇଁ ତାଇୱାନ ଉପରେ ଏବେ ସୁଦ୍ଧା ବି ସିଧାସଳଖ ଆକ୍ରମଣ କରିପାରୁନି ଚୀନ କିନ୍ତୁ ବର୍ତମାନ ଚୀନ ଯେଉଁ ଧମକ ଦେଉଛି ସେଥିରୁ ଗୋଟେ କଥା ସ୍ପଷ୍ଟ କି ଆଗାମୀ ଦିନରେ ତାଇୱାନକୁ ନେଇ ଭୀଷଣ ଯୁଦ୍ଧ ହୋଇପାରେ ।-ପ୍ରାୟ ଗୋଟେ ବର୍ଷ ହେବ ଆମେରିକା ପ୍ରତିରକ୍ଷା ସ୍ତରରେ ଚୀନ ସହ ତାଇୱାନ  ପ୍ରସଙ୍ଗରେ ଆଲୋଚନା ପାଇଁ ଚେଷ୍ଟା କରୁଥିବାବେଳେ ଏବେ ଚୀନ ଏହି  ଧମକ  ଦେଇଛି ।