ଚୀନ ଜାଲରେ ଉଗାଣ୍ଡା, ଋଣ ଦେଇ ନେଇଗଲା ଏକମାତ୍ର ବିମାନ ବନ୍ଦର

362

କନକ ବ୍ୟୁରୋ : ଚୀନର ବିସ୍ତାରବାଦୀ ନୀତିକୁ ନେଇ ଏବେ ଚିନ୍ତାରେ ବିଶ୍ୱ । ଋଣ ନ ଶୁଝିବା କାରଣରୁ ବିଦେଶ ସମ୍ପତ୍ତି ହାସଲ କରିବା ମାମଲାରେ ଚୀନ ପୁଣି ଆଉ ଏକପାଦ ଆଗକୁ ବଢିଛି । କୁହାଯାଉଛି କି ଚୀନ ଉଗାଣ୍ଡାର ଏକମାତ୍ର ବିମାନ ବନ୍ଦର ଏଣ୍ଟେବେ ଓ ପୂର୍ବ ଆଫ୍ରିକାର କିଛି ସମ୍ପତ୍ତି ଦଖଲ କରିନେଇଛି ।

ଏହି କ୍ରମରେ ଉଗାଣ୍ଡାର ରାଷ୍ଟ୍ରପତି ୟୁବେରୀ ମୁସେଭେନି ଚୀନ ସରକାରଙ୍କ ସହ ପୁଣିଥରେ ଆଲୋଚନା କରିବାକୁ ଏକ ପ୍ରତିନିଧିମଣ୍ଡଳ ବେଜିଂ ପଠାଇଛନ୍ତି । ଅନ୍ୟପଟେ ଏଣ୍ଟେବେ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ବିସ୍ତାର ପାଇଁ ଚୀନର ଏକ୍ସିମ ବ୍ୟାଙ୍କ ଠାରୁ ୨୦ କୋଟି ୭୦ ଲକ୍ଷ ଡଲାର ଋଣ ନେବାକୁ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ ଉଗାଣ୍ଡା ରାଷ୍ଟ୍ରପତି । ହେଲେ ଏହାକୁ ନେଇ ଆଫ୍ରିକାର ଏକ ସମାଚାର ପୋର୍ଟାଲର ଖବର ମୁତାବକ  ଋଣର ପରିପକ୍ୱତା ଅବଧି ୨୦ ବର୍ଷ ଓ ଏହାସହ ଏହି ଋଣ ସୁଝିବାକୁ ବ୍ୟାଙ୍କ ୭ ବର୍ଷ ରିହାତି ସମୟ ଦେଇଥାଲ । ହେଲେ ଏବେର ଚୁକ୍ତିକୁ ନଜର କଲେ ଉଗାଣ୍ଡାର ରାଷ୍ଟ୍ରପତି ଦେଶର ଏକମାତ୍ର ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ଚୀନ ହାତରେ ଟେକି ଦେଇଛନ୍ତି  ।

କହିରଖୁ କି କିଛି ଆଫ୍ରିକୀୟ ଦେଶ ତୁରନ୍ତ ଋଣ ପାଇବା ଲକ୍ଷ୍ୟରେ ଠିକ୍ ଯାଂଚ କରିବା ବିନା ଚୁକ୍ତିରେ ସ୍ୱାକ୍ଷର କରି ଋଣ ନେଉଛନ୍ତି । ଏହାପରେ ଋଣ ଶୁଝିବାରେ ବିଫଳ ହେବା ପରେ ଚୀନ ପ୍ରତ୍ୟେକ୍ଷ ନିୟନ୍ତ୍ରଣ ମାଧ୍ୟମରେ ସେମାନଙ୍କର ରାଷ୍ଟ୍ରୀୟ ସମ୍ପତ୍ତି ଜବତ କରିବାରେ ଲାଗିଛି ।