କରୋନା ପାଇଁ କଟକଣା ବଢାଉଛି ଚୀନ: ୧୩ ଦିନ ଧରି ଘରେ ବନ୍ଦି ଅଛନ୍ତି ୧ କୋଟି ୩୦ ଲକ୍ଷରୁ ଅଧିକ ଲୋକ

124

କନକ ବ୍ୟୁରୋ: ବେଳ ଥାଉ ଥାଉ ସତର୍କ ହେଉଛନ୍ତି ଚୀନ୍ ସରକାର । ଚୀନରେ ଯେପରି ସ୍ଥିତି ସାଂଘାତିକ ନହୁଏ ସେଥିପାଇଁ ଚୀନ ସରକାର କଡା ଆଇନ ଜାରି କରିଛନ୍ତି । ଏମିତି କି କରୋନା ଆକ୍ରାନ୍ତ ସଂଖ୍ୟା କମ ଥିଲେ ମଧ୍ୟ ସମ୍ପୁର୍ଣ ଲକଡାଉନ ମଧ୍ୟ କିଛି ସ୍ଥାନରେ ଲାଗୁ କରିଛନ୍ତି ଜିନପିଙ୍ଗ ସରକାର ।

ଗତ ୧୩ ଦିନ ହେବ ଚାଇନାର ପଶ୍ଚିମ ଜିଆନ ସହରରେ ଜାରି ରହିଛି ଲକଡାଉନ୍ କଟକଣା । ସହରର ୧ କୋଟି ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି । ସେପଟେ ଚୀନର ୟୁଝୁ ସହରରେ ମଧ୍ୟ ଲକଡାଉନ ଜାରି ହେଇଛି । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ସମ୍ପୁର୍ଣ ଲକଡାଉନ କରାଯାଇଛି । ବିନା କାରଣରେ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି । ବସ ଓ ଟ୍ୟାକ୍ସି ସେବାକୁ ବନ୍ଦ କରାଯାଇଛି । ସୋମବାର ରାତିରୁ ଏହି ନିୟମକୁ ଲଗାଯାଇଛି । ସେହିପରି ସପିଙ୍ଗମଲ, ସଂଗ୍ରହାଳୟ, ପର୍ଯ୍ୟଟନସ୍ଥଳୀକୁ ସାଧାରଣ ଲୋକ ଯିବାଆସିବା ଉପରେ ରୋକ ଲଗାଯାଇଛି ।

ଜିଆନ ସହରରେ ଗତ ୧୩ ଦିନ ଧରି ଲାଗୁ ହୋଇଥିବା ଲକଡାଉନ୍ ପାଇଁ ୧ କୋଟି ୩୦ ଲକ୍ଷରୁ ଅଧିକ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖାଦ୍ୟ ଅଭାବ ଓ ଡାକ୍ତରୀ ସୁବିଧାର ମଧ୍ୟ ପ୍ରବଳ ମାତ୍ରାରେ ଅବ୍ୟବସ୍ଥା ଦେଖାଯାଇଛି । ସରକାରୀ କର୍ମଚାରୀ ଆନାଉନ୍ସ କରି ଲୋକଙ୍କୁ ଘରେ ରହିବାକୁ କହୁଛନ୍ତି । କେବଳ କରୋନା ଟେଷ୍ଟ କରାଇବା ପାଇଁ ଘରୁ ବାହାରିବାକୁ ଅନୁମତି ମିଳିଛି । ସେହିପରି ପରିବାରର କେହି ଜଣେ ବ୍ୟକ୍ତି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ୨ ଦିନରେ ଥରେ ସୁପରମାର୍କେଟ ଯାଇ ପାରିବେ । କରୋନା ପାଇଁ ସହରରେ ଲାଗୁ ହୋଇଥିବା କଟକଣା ଫଳରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସରକାରଙ୍କ ଦୁର୍ବଳ ଶାସନବ୍ୟବସ୍ଥା ଓ ଖାଦ୍ୟଭାବକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି ।

ଆଗକୁ ୱିଂଟର ଅଲମ୍ପିକ୍ସ ଥିବାରୁ କରୋନା ପାଇଁ କଡା ନିୟମ ଲାଗୁ କରୁଛନ୍ତି ଚୀନ ସରକାର । ହେଲେ ଏହି ନିୟମ ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । କରୋନା ଭୂତାଣୁ ପ୍ରଥମେ ଚୀନ ସହର ଉହାନରେ ଚିହ୍ନଟ ହୋଇଥିଲା । ଏହାପରେ ସାରା ବିଶ୍ୱକୁ ବ୍ୟାପିଥିଲା ସଂକ୍ରମଣ ।