ଭାରତକୁ ଚୀନର ସମାଲୋଚନା! ଡରିଗଲା କି ଡ୍ରାଗନ ?

36

କନକ ବ୍ୟୁରୋ : ଡୋକଲାମ ବିବାଦକୁ ନେଇ ଚୀନ୍ ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମସ୍ ପୁଣିଥରେ ଭାରତକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛି । ଗ୍ଲୋବାଲ ଟାଇମସରେ ଲେଖାଯାଇଛି ଯେ, ଭାରତ ହେଉଛି ଛୋଟ ଚିନ୍ତାଧାରାକୁ ନେଇ ବଞ୍ଚିଥିବା ଦେଶ । ସୀମାରେ ସଡ଼କ ନିର୍ମାଣ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ଭାରତ ଯେପରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛି ତାହା ଅତ୍ୟନ୍ତ ଛୋଟ ଚିନ୍ତାଧାରାର ମାନସିକତାକୁ ଦର୍ଶାଉଛି । କେବଳ ଏତିକି ନୁହେଁ ଭାରତ ଏବେ ସୀମାରେ ଯେପରି ଉତ୍ତେଜନା ସୃଷ୍ଟି କରୁଛି ତାହା ଭାରତର ଦାଦାଗିରି ମାନସିକତାକୁ ସୂଚାଉଛି ।

ଚୀନ୍ ମିଡ଼ିଆରେ ପ୍ରକାଶିତ ଖବର ଅନୁଯାୟୀ, ଭାରତ ଚୀନକୁ ଯେପରି ଶତ୍ରୁ ଭଳି ଦେଖୁଛି ସେହିଭଳି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା ସହ ଚୀନକୁ ଏକ ବିକଶିତ ରାଷ୍ଟ୍ର ଭାବେ ଦେଖିବା ଉଚିତ୍ । ତା ଛଡ଼ା ଭାରତ ଏବେ ଚୀନ୍ ସହ ଶୀତଳ ଯୁଦ୍ଧ କରିବା ବନ୍ଦ ସହ ସୀମାରେ ଦାଦାଗିରି ଦେଖାଇବା ଆଭିମୁଖ୍ୟରେ ପରିବର୍ତ୍ତନ ଆଣୁ । ତା ସହ ଚୀନ୍ କହିଛି ଯେ, ସୀମାରେ ସଡ଼କ ନିର୍ମାଣ କରିବା ପଛରେ ଚୀନର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ । କେବଳ ଡ଼୍ରାଗନବାହିନୀର ଗମନାଗମନରେ ସୁବିଧା ପାଇଁ ଏହି ସଡ଼କ ନିର୍ମାଣ କରାଯାଉଥିଲା । କିନ୍ତୁ ଭାରତ ଏହି ରାସ୍ତା ନିର୍ମାଣ ବନ୍ଦ କରି ଛୋଟ ମାନସିକତାର ପରିଚୟ ଦେଇଛି ।

ଗ୍ଲୋବାଲ ଟାଇମସରେ ଆହୁରି ମଧ୍ୟ କୁହାଯାଇଛି ଯେ, ପୂରା ବିଶ୍ୱକୁ ଭାରତ ଯେପରି ଶତ୍ରୁଭଳି ଦୃଷ୍ଟିଭଙ୍ଗୀରେ ଦେଖୁଛି ସେଭଳି ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ତାଛଡ଼ା ଏସିଆ ମହାଦେଶରେ ଥିବା ଛୋଟ ଛୋଟ ଦେଶକୁ ନେଇ ଭାରତ ତାର ମନୋବୃର୍ତ୍ତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଏଭଳି କିଛି ମନ୍ତବ୍ୟ ଦେଇ ଚୀନ୍ ଏସିଆ ମହାଦେଶରେ ଥିବା ଛୋଟ ଛୋଟ ଦେଶର ମନରେ ଏକରମକମର ବିଷ ମଞ୍ଜି ବୁଣିବାକୁ ପ୍ରୟାସ କରିଛି । କାରଣ ଏବେ ଭାରତ ମହାସାଗରରେ ଚୀନର ଆଧିପତ୍ୟକୁ ନେଇ ଏସିଆର ଅନେକ ଦେଶ ସହ ଚୀନର ଉତ୍ତମ ସମ୍ପର୍କ ନାହିଁ । ତେଣୁ ଏସିଆର ଛୋଟ ଛୋଟ ଦେଶର ସମର୍ଥନ ପାଇବା ପାଇଁ ଭାରତ ବିରୋଧରେ ବିଷ ଓଗାଳୁଛି ଚୀନ୍ । ପୂର୍ବରୁ ମଧ୍ୟ ଚୀନ୍ ମିଡ଼ିଆ ଡୋକଲାମ ବିବାଦକୁ ନେଇ ଭାରତକୁ ବାରମ୍ବାର ଯୁଦ୍ଧ ଧମକ ଦେଇଥିଲେ ମଧ୍ୟ ଭାରତ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା । ଯାହା ଭାରତର ସହନିଶୀଳତା ଓ ପରିପକ୍ୱତାକୁ ସୂଚାଉଛି ବୋଲି ଆମେରିକା ଓ ବିଶ୍ୱର ଅନେକ ରାଷ୍ଟ୍ର କହିଛନ୍ତି ।

ଏଠାରେ ଆମେ ଜଣାଇବାକୁ ଚାହୁଁ ଯେ, ଭାରତ, ଚୀନ୍ ଓ ଭୂଟାନ ସୀମା ଅଞ୍ଚଳରେ ଥିବା ଟ୍ରାଇଜଙ୍କସନରେ ଡ୍ରାଗନବାହିନୀ ସଡ଼କ ନିର୍ମାଣ କରିବା ନେଇ ବିବାଦ ଆରମ୍ଭ ହୋଇଥିଲା । ଏହାକୁ ନେଇ ଉଭୟ ଭାରତ ଓ ଭୂଟାନ ବିରୋଧ କରୁଥିଲେ ମଧ୍ୟ ଚୀନ୍ ଏଥିରେ କର୍ଣ୍ଣପାତ କରିନଥିଲା । ଭାରତ ଏହି ରାସ୍ତା ନିର୍ମାଣକୁ ବନ୍ଦ କରିବା ଫଳରେ ବିବାଦ ସୁତ୍ରପାତ ହୋଇଥିଲା । ଏହି ଘଟଣାକୁ ଦୀର୍ଘ ଦୁଇମାସ ବିତି ଯାଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିନାହିଁ । ଏବେ ମଧ୍ୟ ଡୋକଲାମ ଅଞ୍ଚଳରେ ଦୁଇ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି ।