ହଜିଯିବ ରାତି, ଆଉ ରହିବନି ଅନ୍ଧାର ! ଚୀନ କରୁଛି ଅଭିନବ ଯୋଜନା, ଆକାଶରେ ଦେଖାଯିବ କୃତ୍ରିମ ସୂର୍ଯ୍ୟ ।

1,276

କନକ ବ୍ୟୁରୋ : ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ଦୁନିଆରେ ଯଦି ଆମେ ଦିନ କଣ ରାତି କଣ ଅନୁଭବ କରିପାରୁଛୁ, ତେବେ ତାହା କେବଳ ସୂର୍ଯ୍ୟଙ୍କ ପାଇଁ । ସୂର୍ଯ୍ୟ ଆସିଲେ ଦିନ ହୋଇଥାଏ ଆଉ ଅସ୍ତ ହେଲେ ରାତି ହୋଇଥାଏ । ତେବେ ସୂର୍ଯ୍ୟଙ୍କୁ ନେଇ ଚୀନର ବୈଜ୍ଞାନିକମାନେ ଏଭଳି ଏକ ଆବିଷ୍କାର କରିବାକୁ ଯାଉଛନ୍ତି, ଯାହା ଜାଣିଲେ ହୁଏତ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଚୀନର ବୈଜ୍ଞାନିକମାନେ ଏମିତି ଏକ କୃତ୍ରିମ ସୂର୍ଯ୍ୟର ନିର୍ମାଣ କରିଛନ୍ତି, ଯାହା ବାସ୍ତବ ସୂର୍ଯ୍ୟଙ୍କ ପରି ଆଲୋକିତ ହେବ । ପରମାଣୁ ଫ୍ୟୁଜନର ସହାୟତାରେ ୧୦ଗୁଣା ଅଧିକ ସ୍ୱଚ୍ଛ ସୌରଶକ୍ତି ସୃଷ୍ଟି କରିବାରେ ସକ୍ଷମ ହେବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ୧୦ଟି ସୂର୍ଯ୍ୟଙ୍କ ସହ ସମାନ ।

ଏହି କୃତ୍ରିମ ସୂର୍ଯ୍ୟର ନିର୍ମାଣ ଶେଷ ହେବାକୁ ଯାଉଥିବା ବେଳେ ଆସନ୍ତାବର୍ଷ ଏହାର ସଂଚାଳନ ଆରମ୍ଭ ହେବା ନେଇ ଆଶା କରାଯାଉଛି । ଆଉ ଏହାର ନାମକରଣ କରାଯାଇଛି ଏଚଏଲ୍-୨ଏମ୍ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି କୃତ୍ରିମ ସୂର୍ଯ୍ୟ ସମ୍ପୂର୍ଣ୍ଣ ସକ୍ଷମ ହେବା ପରେ ବାସ୍ତବ ସୂର୍ଯ୍ୟଙ୍କ ତୁଳନାରେ ୧୩ ଗୁଣା ଅଧିକ ତାପମାନ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେବ, ଯାହାକି ପାଖାପାଖି ୨୦୦ ମିଲିୟନ୍ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବ । ଏହା ତେବେ ଆମେ ଦେଖୁଥିବା ସୂର୍ଯ୍ୟଙ୍କର ତାପମାନ ୧୫ ମିଲିୟନ୍ ଡିଗ୍ରୀ ସେଲସିୟସ ଅଟେ ।