ଆମେରିକା ଆକାଶରେ ଚୀନ ଗୁଇନ୍ଦା ବେଲୁନ୍। ଦୁଇ ଦେଶ ମଧ୍ୟରେ ବଢିଲା ଉତ୍ତେଜନା।

189

କନକ ବ୍ୟୁରୋ: ଆମେରିକା ଆକାଶ ସୀମାରେ ଆସିଥିବା ଚୀନର ଗୁଇନ୍ଦା ବେଲୁନକୁ ନେଇ ଦୁଇ ଦେଶ ଭିତରେ ଉତ୍ତେଜନା ଆହୁରି ବଢିଯାଇଛି । ଆମେରିକାର ପ୍ରତିରକ୍ଷା ବିଭାଗ ଅଭିଯୋଗ କରିଛି, ଏହି ଗୁଇନ୍ଦା ବେଲୁନ୍କୁ ଅର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ର ବିଷୟରେ ତଥ୍ୟ ସଂଗ୍ରହ ପାଇଁ ପଠାଇଛି ଚୀନ । ହେଲେ ଏହି କଥାକୁ ଖଣ୍ଡନ କରିଛି ଚୀନ । ଆମେରିକାର ଅଭିଯୋଗର ଜବାବ ରଖିଛି ଚୀନ ବିଦେଶ ମନ୍ତ୍ରାଳୟ । କହିଛି – ଚୀନ କେବେ ବି କୌଣସି ଦେଶର ସ୍ଥଳସୀମା କି ଆକାଶ ସୀମା ଉଲ୍ଲଙ୍ଘନ କରେନି । ଆମେରିକା ଗଣମାଧ୍ୟମ ସତ୍ୟାସତ୍ୟ ନଜାଣି ଚୀନ ଛବି ଖରାପ କରୁଛି । ଶାନ୍ତିର ସହ ଏହି ମାମଲାର ସମାଧାନ ହୋଇପାରିବ ।

ଆମେରିକା ପରେ ଶୁକ୍ରବର ଓ ଶନିବାର ଲାଟିନ ଆମେରିକା ଆକାଶରେ ଏହି ଗୁଇନ୍ଦା ବେଲୁନ ଉଡୁଥିବାର ଦେଖିବାକୁ ମିଳିଛି । ଏହି ବେଲୁନକୁ ଆମେରିକା ପ୍ରତିରକ୍ଷା ବିଭାଗ ‘ଗୁପ୍ତ ତଥ୍ୟ ସଂଗ୍ରହ କରୁଥିବା ବେଲୁନ୍’ ଭାବେ ଚିହ୍ନଟ କରିଛି । ଏହି ଘଟଣାକୁ ନେଇ ଚୀନ ଆମେରିକା ଠାରୁ କ୍ଷମାପ୍ରାର୍ଥନା ମଧ୍ୟ କରିଥିବା ପେଣ୍ଟାଗନ୍ କହିଛି । ଭୁଲବସତଃ ଏହି ବେଲୁନ୍ ଆମେରିକା ଆକାଶକୁ ଚାଲିଯାଥିବା ଚୀନ କହିଛି । ବିବିସି ରିପୋର୍ଟ ଅନୁସାରେ, ପୂର୍ବରୁ ଏହି ବେଲୁନ ଆଲାସ୍କାର ଅଲେଉତିଆନ ଦ୍ୱୀପ ଓ କାନାଡା ଆକାଶରେ ଦୃଶ୍ୟମାନ ହୋଇଥିଲା

ଆମେରିକା ଆକାଶରେ ଉଡୁଥିବା ଏହି ଗୁଇନ୍ଦା ବେଲୁନକୁ ନଷ୍ଟ କରାଯାଇ ନାହିଁ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବେଲୁନକୁ ନଷ୍ଟ କରାଯାଇ ନାହିଁ । ତିନୋଟି ବସ୍ ଆକୃତିର ବିଶାଳ ଏହି ଗୁଇନ୍ଦା ବେଲୁନ୍ । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ଗୁଇନ୍ଦା ବେଲୁନର ବିଶେଷ ପ୍ରୟୋଗ କରାଯାଉଥିଲା । ଶୀତଳଯୁଦ୍ଧ ସମୟରେ ସୋଭିଏତ ସଂଘ ଏବଂ ଚୀନର ଗୁପ୍ତ ତଥ୍ୟ ହାତେଇବା ପାଇଁ ଆମେରିକା ଶହ ଶହ ଗୁଇନ୍ଦା ବେଲୁନ୍ ଛାଡିଥିଲା । ଡ୍ରୋନ ଓ ସାଟେଲାଇଟ୍ ଯୁଗରେ ଏହି ଗୁଇନ୍ଦା ବେଲୁନର ପ୍ରୟୋଗ ଆଉ କରାଯାଉ ନାହିଁ ।