ସତ ମାନିଲା ସଇତାନ୍ ଚୀନ । ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତ୍ତର ସମ୍ମାନ ପରେ ପଦାକୁ ଆସିଲା ସତ ।

110

କନକ ବ୍ୟୁରୋ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଚୀନ୍ ବିବାଦର ସମାଧାନର ବାଟ ଫିଟିଛି । ଉଭୟ ଦେଶର ବୁଝାମଣା ପରେ ଏବେ ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ସେନା ପ୍ରତ୍ୟାହାର ଶେଷ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଜାନୁଆରୀ ୧୪ରେ ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିଛନ୍ତି । ତେବେ ଖୁବ ଶୀଘ୍ର ଗତ ବର୍ଷ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ନେଇ ଆଶା କରାଯାଉଛି । ଏହାରି ଭିତରେ ଶନିବାର ଦିନ ଭାରତ ଓ ଚୀନ୍ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ହେବା ପରେ ସ୍ଥିର ହୋଇଛି ।

ଅନ୍ୟପଟେ ପ୍ରଥମଥର ପାଇଁ ସତ ମାନିଛି ସଇତାନ ଚୀନ । ପୂର୍ବ ଲଦାଖର ଗଲୱାନ ଘାଟିରେ ଗତବର୍ଷ ଜୁନରେ ହୋଇଥିବା ଗଣ୍ଡଗୋଳରେ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଫାଙ୍କି ଆସୁଥିଲା ବେଜିଂ । ହେଲେ ପ୍ରଥମଥର ପାଇଁ ଏହି ସତକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ଜିନପିଙ୍ଗ ସରକାର । କାରଣ ଗଲୱାନ ସଂଘର୍ଷରେ ମୃତ ସୈନିକଙ୍କୁ ସମ୍ମାନିତ କରିଛନ୍ତି ଜିନପିଙ୍ଗ ସରକାର । ଏନେଇ ଚୀନର ଏକ ସ୍ଥାନୀୟ ମିଡିଆ ଖବର ପ୍ରସାରଣ କରିବା ପରେ ସତ ପଦାକୁ ଆସିଛି ।

ପିଏଲଏର ୪ ଜଣ ସୈନିକଙ୍କୁ ମରୋଣତ୍ତର ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଜଣେ କର୍ଣ୍ଣେଲ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଚୀନର ସେଂଟ୍ରାଲ ମିଲିିଟାରୀ କମିଶନ ସୂଚନାକୁ ଆଧାର କରି ଏଭଳି ଖବର ପ୍ରକାଶ କରିଛି ଚୀନ ମିଡିଆ ପିପୁଲ୍ସ ଡେଲି ।

୪ ଜଣ ଚୀନ୍ ସୈନିକଙ୍କୁ ମରୋଣତର ସମ୍ମାନ ପ୍ରଦାନ କରିବା ଖବର ପଦାକୁ ଆସିବା ପରେ ପ୍ରଥମଥର ପାଇଁ ଗଲୱାନ ସଂଘର୍ଷରେ ଚୀନ ସୈନିକଙ୍କ ମୃତ୍ୟୁକୁ ବେଜିଂ ସ୍ୱୀକାର କରିଥିବା କୁହାଯାଉଛି । ଗତବର୍ଷ ଜୁନ୍ ମାସରେ ହୋଇଥିବା ଗଲୱାନ ରକ୍ତାକ୍ତ ସଂଘର୍ଷରେ ୪୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଆମେରିକାର ଗୁଇନ୍ଦା ସଂସ୍ଥା କହିଥିଲା । ଏହି ଗଣ୍ଡଗୋଳରେ ଚୀନ୍ର ୩୫ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିବା କହିଥିଲା ଭାରତ । ଏବେ ୪ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଚୀନ୍ ସ୍ୱିକାର କରିବା ପରେ ଏହି ସଂଖ୍ୟାକୁ ନେଇ ଏବେବି ସନ୍ଦେହ ରହିଛି ।

ଗତ ବର୍ଷ ଜୁନ୍ ମାସରେ ହୋଇଥିବା ଗଲୱାନ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ ତାର କୌଣସି ସୈନିକଙ୍କ ପ୍ରାଣହାନୀକୁ ଅସ୍ୱୀକାର କରିଆସୁଥିଲା । ହେଲେ ଏବେ ସଇତାନ ଚୀନର ସତ ପଦାରେ ପଡିଯାଇଛି । ଗତ ବର୍ଷ ଠାରୁ ଭାରତ ଓ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବିବାଦ ଲାଗିରହିଥିବା ବେଳେ ଉତେଜନା ପୂର୍ଣ୍ଣ ସ୍ଥିତି ରହିଥିଲା । ଏହି ସମୟ ମଧ୍ୟରେ ଗଲୱାନରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଏବେ ସେନା ପ୍ରତ୍ୟାହାର ପରେ ସ୍ଥିତି ସାମାନ୍ୟ ହେବା ଆଶା କରାଯାଉଛି ।