ବଢିଲା ଭାରତର ଚିନ୍ତା! ପାକିସ୍ତାନ ନୌସେନାକୁ ସୁଦୃଢ କରୁଛି ଚୀନ

223

କନକ ବ୍ୟୁରୋ: ନିଜର ବିସ୍ତାରବାଦକୁ ବଢାଇବା ଲକ୍ଷ୍ୟରେ ଆତଙ୍କବାଦର ଆଡ୍ଡା କୁହାଯାଉଥିବା ପାକିସ୍ତାନକୁ ହାତ କରୁଛି ଡ୍ରାଗନ୍ । ଏଥିପାଇଁ ପାକିସ୍ତାନକୁ ଯୋଗାଉଛି ଅସ୍ତ୍ରଶସ୍ତ୍ର ।ପୂର୍ବରୁ ଅନେକ ଅସ୍ତ୍ରଶସ୍ତ୍ର ଯୋଗାଇଆସୁଥିବାବେଳେ ଏବେ ପାକିସ୍ତାନର ନୌସେନାକୁ ସୁଦୃଢ କରିବାକୁ ହାତ ବଢାଇଛି ଚୀନ୍ , ଯାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଭାରତ ପ୍ରତି ବିପଦ ବଢିବାରେ ଲାଗିଛି । ଖବର ମୁତାବକ, ପାକିସ୍ତାନ ନୌସେନାକୁ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଯୋଗାଇଛି ଚୀନ୍ । ଫଳରେ ପାକିସ୍ତାନ ନୌସେନାର ଶକ୍ତିବୃଦ୍ଧି ହୋଇଛି ।

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ମୁତାବକ, ପାକିସ୍ତାନକୁ ଅତ୍ୟାଧୁନିକ ଯୁଦ୍ଧ ପୋତ ଯୋଗାଇଛି ଚୀନ୍ । ଏହି ଯୁଦ୍ଧ ଜାହାଜକୁ ନିର୍ମାଣ କରିଛି ଚୀନ୍ ଷ୍ଟେଟ୍ ସିପ୍ ବିଲ୍ଡିଙ୍ଗ କର୍ପୋରେସନ୍ । ଗତକାଲି ସାଙ୍ଘାଇଠାରେ ଏହାର ଜଳାବତରଣ କରାଯାଇଥିଲା ।ଏହି ଯୁଦ୍ଧ ଜାହାଜ ଆକାଶକୁ ନିକ୍ଷେପ କରିହେଉଥିବା କ୍ଷେପଣାସ୍ତ୍ର ଓ ସମୁଦ୍ର ତଳେ ନିକ୍ଷେପ କରିହେଉଥିବା କ୍ଷେପଣାସ୍ତ୍ର ଓ ଟର୍ପେଡୋରେ ସଜ୍ଜିତ ରହିଛି । ଏଥିରେ ଅତ୍ୟାଧୁନିକ ରାଡାର ଓ ଗୁପ୍ତଚର ଉପକରଣ ଲାଗିଛି । ଏଥିରେ ମଧ୍ୟ ଇଲେକ୍ଟ୍ରୋନିକ ଓ୍ବାରଫେୟାର ପାଇଁ ଉପକରଣ ଲାଗିଛି । ଏହି ଯୁଦ୍ଧ ଜାହାଜ ଏକ ଜଟିଳ ଯୁଦ୍ଧ ପରିସ୍ଥିତିର ସଫଳ ମୁକାବିଲା କରିପାରିବ ବୋଲି ଗ୍ଲୋବାଲ ଟାଇମ୍ସ କହିଛି । କୌଣସି ବିଦେଶୀ ରାଷ୍ଟ୍ରକୁ ଏତେ ବୃହତ ଯୁଦ୍ଧ ଜାହାଜ ରପ୍ତାନି କରିବାରେ ଏହା ଚୀନ ପାଇଁ ପ୍ରଥମ ଘଟଣା । ଏହି ଯୁଦ୍ଧ ଜାହାଜ ଯୋଗାଣ ପାକିସ୍ତାନ-ଚୀନ ବନ୍ଧୁତ୍ବର ଏକ ବଡ଼ ଉଦାହରଣ ବୋଲି ଗ୍ଲୋବାଲ ଟାଇମ୍ସ କହିଛି ।