ଉହାନରୁ କଟକ, କରୋନା ଭୟ ! ମାରାତ୍ମକ ଭୂତାଣୁରେ ଚୀନରେ ମଲେଣି ୪୨୫ ଜଣ

ସେପଟେ କେରଳରେ ତୃତୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ; ଜରୁରୀକାଳୀନ ପରିସ୍ଥିତି ଘୋଷଣା

459

କନକ ବ୍ୟୁରୋ: ମାରାତ୍ମକ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ ଛଡା ବିଶ୍ୱର ୨୬ଟି ଦେଶରେ ଏହି ଭୂତାଣୁରେ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି । କେବଳ ଚୀନରେ ୧୪ ହାଜର ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୪୨୫କୁ ଛୁଇଁଲାଣି । ସେହିପରି ଭାରତରେ କେବଳ କେରଳରୁ ୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତରେ ତୃତୀୟ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ କେରଳରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । କେରଳରୁ ତୃତୀୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ, ଆକ୍ରାନ୍ତ ଜଣକ ନିକଟରେ ଚୀନ୍ର ଉହାନରୁ ଫେରିଥିବା ଜଣେ ଛାତ୍ର ବୋଲି ସୂଚନା ମିଳିଛି । ଅନ୍ୟ ଦୁଇଜଣ ଆକ୍ରାନ୍ତ ମଧ୍ୟ ଚୀନରୁ ଫେରିଥିବା ସୂଚନା ରହିଛି ।

ସେପଟେ କରୋନାକୁ ନେଇ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ଭୟର ବାତାବରଣ ଭିତରେ ଭୂତାଣୁର ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଚାଲିଛି ତୁହାକୁ ତୁହା ବୈଠକ । ଆଉ ଏହାରି ଭିତରେ କଟକ ବଡ ମେଡିକାଲରେ ଚାଲିଛି ଦୁଇ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା  । ଏହି ୨ଜଣ ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ଏମାନଙ୍କ ପାଖକୁ କାହାରିକୁ ଛଡାଯାଉନାହିଁ । ଏମିତିକି ଚିକିତ୍ସା ପାଇଁ ନିୟୋଜିତ ଥିବା ଡାକ୍ତର ଓ ନର୍ସ ମଧ୍ୟ ପିପି-କିଟ ଲଗାଇ ସ୍ୱତନ୍ତ୍ର ୱାର୍ଡକୁ ଯାଉଛନ୍ତି । ଏସସିବି କର୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ଏହି ୨ ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି ।