ସୁନା ପରିବାରକୁ ଚୁନା କରିଦେଲା କରୋନା: ବାପା ଚାଲିଗଲା ପରେ ଅନଥା ହୋଇଗଲେ କୁନି କୁନି ଝିଅ

163

କନକ ବ୍ୟୁରୋ: ପ୍ରଥମ ଲହରଠୁ ଭୟଙ୍କର ଥିଲା ଦ୍ୱିତୀୟ ଲହର କରୋନା । ଏହି ଦ୍ୱିତୀୟ ଲହର କରୋନା ଆସିବା ପରେ କାହା ମା କୋଳଠୁ ପୁଅକୁ ଛଡେଇ ନେଇଛି ତ କାହାକୁ ଅନାଥ କରିଛି । ଏବଂ କାହାର ମଥାରୁ ସିନ୍ଦୁର ଛଡାଇ ନେଇଛି ତ କଉ ପିଲାଙ୍କ ଠୁ ତା ବାପା ମାଙ୍କୁ ଛଡାଇ ନେଇ ଅନାଥ କରି ଦେଇଛି ।

ସୁନା ପରିବାରକୁ ଚୁନା କରିଦେଲା କରୋନା । ଭୂତାଣୁ ସଂକ୍ରମିତ ହୋଇ ଭୂତାଣୁ ସହ ଲଢି ଜିତିଗଲେ ସ୍ତ୍ରୀ, ହାରିଗଲେ ସ୍ୱାମୀ । ଡାକ୍ତରଖାନାରୁ ମଶାଣିକୁ ଗଲା ସ୍ୱାମୀଙ୍କ ଶବ । ଦୁଇ ପିଲାଙ୍କ ମୁଣ୍ଡ ଉପରୁ ହଟିଗଲା ବାପାଙ୍କ ହାତ, ସ୍ତ୍ରୀଙ୍କ ସିନ୍ଥିରୁ ଲିଭିଗଲା ସିନ୍ଦୁର । ସୁଖର ସଂସାରରେ ଘୋଟି ଆସିଲା କରୋନାର କଳା ବାଦଲ । ମହାମାରି ମାଡରେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଗଞ୍ଜାମ ଜିଲ୍ଳା ପୋଲସରା ବ୍ଲକ ବୁଗୁଡାର ସୁନିତା ଗୌଡ ଓ ତାଙ୍କ ପୁଅ-ଝିଅ । ସୁନିତାଙ୍କ ସ୍ୱାମୀ ଟୁନା ଗୌଡ ଏକ ଟାୟାର ଦୋକାନ କରି ସ୍ୱଳ୍ପ ରୋଜଗାରରେ ପରିବାର ପୋଷୁଥିଲେ । ସେ ଚାଲିଯିବା ପରେ ପରିବାରର ବୋଝ ଉଠାଇବା ପାଇଁ ୧୭ ବର୍ଷର ନାବାଳକ ପୁଅ ଆଶିଷ ପାଠକୁ ପଛ କରି ବାପାଙ୍କ ଟାୟାର ଦୋକାନରେ କାମ କରୁଛି ।

କରୋନା ଅନେକ ପରିବାରକୁ ଛାରଖାର କରି ଦେଇଛି । ଅନେକଙ୍କୁ ଅସହାୟ କରି ଦେଇଛି । ସେମିତି ଆଉ ଜଣେ ଦୁଃଖୀ ହେଉଛନ୍ତି, କରୋନାରେ ସ୍ୱାମୀଙ୍କୁ ହରାଇଥିବା ରାଜେଶ୍ୱର ନାୟକ । ତାଙ୍କ ମଥା ବି ଖାଲି କରିଦେଇଛି କରୋନା । ସ୍ୱାମୀ ଜିତୁ ନାୟକ କରୋନାରେ ପ୍ରାଣଲ ହରାଇବା ପରେ ୨ କୁନି କୁନି ଝିଅଙ୍କୁ ନେଇ କଷ୍ଟରେ କାଳ କାଟୁଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କରୋନା ମୃତ୍ୟୁର ଗଣନା କରିଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି । କିନ୍ତୁ କରୋନାରେ ପରିବାରର ମୁଖ୍ୟଙ୍କୁ ହରାଇଥିବା ପରିବାର ପାଖରେ ପହଂଚି ପାରିନାହିଁ କୌଣସି ଯୋଜନା । ରାସନ କାର୍ଡ, ବିଧବା ଭତା, ଆଶିର୍ବାଦ ଯୋଜନାରେ ସାମିଲ ହୋଇପାରିନାହାନ୍ତି ପୋଲସରାର ପୀଡିତ ।