ଆରମ୍ଭ ହେଲା ଓ୍ଵାଲର୍ଡ ଭିଜନ ଇଣ୍ଡିଆର ଜାତୀୟ ଅଭିଯାନ ! ଶିଶୁ ଯୌନ ଶୋଷଣରେ ଓଡ଼ିଶା ଚତୁର୍ଥ

54

କନକ ବ୍ୟୁରୋ: ଶିଶୁ ଯୌନ ଶୋଷଣରେ ଭାରତ ବିଶ୍ୱରେ ଦ୍ୱିତୀୟ । ପୁଣି ଦେଶ ଭିତରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ଏନସିଆରବି ତଥ୍ୟ ଅନୁଯାୟୀ, ୨୦୧୫ରେ ଭାରତରେ ଶିଶୁ ଦୁଷ୍କର୍ମ ବାବଦରେ ୧୦ ହଜାର ୮୫୪ଟି ମାମଲା ରୁଜୁ ହୋଇଥିବାବେଳେ ୧୦୫୨ ମାମଲା ସହ ଓଡ଼ିଶା ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି । ଶିଶୁ ଯୌନ ନିର୍ଯାତନା ନିରାକରଣ ଆଇନର ତଥ୍ୟ ଅନୁଯାୟୀ, ପ୍ରତି ୧ ଲକ୍ଷ ଶିଶୁରେ ପ୍ରାୟ ୭ ହଜାର ଶିଶୁ ଏଭଳି ନିର୍ଯାତନାର ଶିକାର ହେଉଛନ୍ତି । ପୁଣି ୨୦୧୪ରେ ୭୫୩ ଶିଶୁ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୧୫କୁ ତାହା ବଢ଼ି ୧୦୫୨ଟି ରୁଜୁ ହୋଇଛି । ବର୍ଷେ ଭିତରେ ଶିଶୁ ଯୌନ ନିର୍ୟାତନା ପ୍ରାୟ ୬୭% ବଢ଼ିଛି । ପୁଣି ଲୋକଲଜ୍ଜା, ସଚେତନତା ଅଭାବ ତଥା ଅଶିକ୍ଷା କାରଣରୁ ପ୍ରାୟ ୭୦% ମାମଲା ପଞ୍ଜୀକୃତ ହୋଇପାରୁନାହିଁ ବୋଲି ୨୦୦୭ରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ କହୁଛି ।

ଗତ କିଛି ଦିନ ହେଲା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଭାଇରାଲ୍ ଭିଡିଓ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ‘ଓ୍ଵାଲର୍ଡ ଭିଜନ ଇଣ୍ଡିଆ(ଡବ୍ଲ୍ୟୁଭିଆଇ)’ର ଏକ କାର୍ଯ୍ୟକ୍ରମରେ ପ୍ରସ୍ତୁତ ଏଭଳି ସାଂଘାତିକ ତଥ୍ୟ ସମାଜର ଦୁଃସ୍ଥିତିକୁ ସ୍ପଷ୍ଟ କରୁଛି । ସମାଜରେ ଘଟୁଥିବା ଶିଶୁ ଯୌନ ଶୋଷଣ ଓ ନିର୍ଯାତନାକୁ ରୋକି ୨୦୨୧ ସୁଦ୍ଧା ଦେଶକୁ ଏକ ଶିଶୁ ଅନୁକୂଳ ରାଷ୍ଟ୍ରରେ ପରିଣତ କରିବା ଉଦ୍ଦେଶ୍ୟରେ ଡବ୍ଲ୍ୟୁଭିଆଇ ପକ୍ଷରୁ ଜାତୀୟ ଅଭିଯାନ ଆରମ୍ଭ ହୋଇଛି ।

ଗତକାଲି ଭୁବନେଶ୍ୱରଠାରେ ଏହି ଅଭିଯାନ ‘ଶିଶୁ ଯୌନ ଶୋଷଣ ସମାପ୍ତ ପାଇଁ ସମସ୍ତ ଭାରତୀୟଙ୍କ ସହଯୋଗ ଲୋଡ଼ା’ର ଉଦ୍ଘାଟନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଓଏସସିପିସିଆରର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଓ କର୍ପୋରେଟର ନବକିଶୋର ବେହେରା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ୭ ହଜାର ସହର, ସହରାଭିମୁଖୀ ଗ୍ରାମାଞ୍ଚଳ ଓ ଗ୍ରାମଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ସାମିଲ କରିବା ଅନୁଷ୍ଠାନର ଲକ୍ଷ୍ୟ ରହିଛି ବୋଲି ଓ୍ଵାଲର୍ଡ ଭିଜନ୍ ଇଣ୍ଡିଆର ମୁଖ୍ୟ ଆଡଭୋକେସି ମିଖାଇଲ୍ ପ୍ରଧାନ ସୂଚନା ଦେଇଥିଲେ ।