ସମୁଦ୍ରରେ ବୋଟିଂର ମଜା ନେଉଥିଲେ ବାପା ମା’, କାର ଭିତରେ ଅଣନିଶ୍ୱାସୀ ହୋଇ ଛଟପଟ ହେଉଥିଲା ୫ ବର୍ଷର କୁନି ଛୁଆ ।

1,895

କନକ ବ୍ୟୁରୋ : ସମୁଦ୍ରରେ ମଜା ନେଉଥିଲେ ବାପା ମା’ । ବନ୍ଦ କାର ଭିତରେ ଛଟପଟ ହୋଇ କାନ୍ଦୁଥିଲା ୫ ବର୍ଷର ଛୁଆ । ସମୁଦ୍ର ମଝିରେ ବୋଟ ରାଇଡିଂରେ ବାପା ମା’ ମଜ୍ଜି ଯାଇଥିବା ବେଳେ ଛୋଟ ଛୁଆ କଥା ସମ୍ପୂର୍ଣ୍ଣ ଭୂଲି ଯାଇଥିଲେ । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲାର ଦୀଘା ସମୁଦ୍ର କୂଳ ନିକଟରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଦୀଘା ସମୁଦ୍ର କୂଳକୁ ବୁଲିବା ପାଇଁ ଆସିଥିଲେ କିଛି ପର୍ଯ୍ୟଟକ । ଏହି ସମୟରେ ଲୋକଙ୍କ ନଜର ପଡିଥିଲା ଗୋଟିଏ କାର ଭିତରେ । କାର ଭିତରେ ଭୋ ଭୋ ହୋଇ କାନ୍ଦୁଥିଲା ଛୋଟ ଛୁଆଟିଏ । କାରର ଡୋର ବାହାର ପଟରୁ ବନ୍ଦ ଥିଲା । ଆଉ ଭିତରେ ଅତି ବିକଳରେ କାନ୍ଦୁଥିଲା ୫ ବର୍ଷର ଛୋଟ ଛୁଆଟି । ବନ୍ଦ କାର ଭିତରେ ଅଣନିଶ୍ୱାସୀ ହୋଇପଡୁଥିଲା କୁନି ଛୁଆଟି । ଆଉ ଏହା ଦେଖିବା ପରେ ପର୍ଯ୍ୟଟକ ମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରର କାଚ ଭାଙ୍ଗିବା ସହ ଛୋଟ ଛୁଆଟିକୁ ଉଦ୍ଧାର କରିଥିଲା ।

ତେବେ ଛୋଟ ଛୁଆଟିକୁ କାର୍ ମଧ୍ୟରେ ବାପା ମା’ ବନ୍ଦ କରି ଦେଇ ସମୁଦ୍ର ମଧ୍ୟକୁ ମଉଜ ମଜଲିସ୍ କରିବାକୁ ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ । ସମୁଦ୍ର ମଧ୍ୟରେ ବାପା ମା’ ବୋଟ ରାଇଡିଂ କରିବାକୁ ଯାଇଥିବା ବେଳେ ପୁଅର ଜୀବନକୁ ପରବାଏ ନକରି କାର ଭିତରେ ବନ୍ଦ କରି ଚାଲିଯାଇଥିଲେ । କାର ଭିତରେ ଛୋଟ ଛୁଆଟି ଅଣନିଶ୍ୱାସୀ ହୋଇ ଜୀବନ ମୃତ୍ୟୁ ସହ ଲଢେଇ କରୁଥିଲା । ଆଉ ଠିକ୍ ସମୟରେ ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର କରିବାରୁ ଛୋଟ ଛୁଆଟିର ଜୀବନ ରକ୍ଷା ପାଇଯାଇଥିଲା । ସମୁଦ୍ର କୂଳକୁ ଛୁଟି କଟାଇବାକୁ ଆସିଥିବା ବାପା ମାଆ କିପରି ନିଜର ପିଲାଟିକୁ କାର୍ ଭିତରେ ବନ୍ଦୀ କରି , ନିଜେ ସମୁଦ୍ର କୂଳକୁ ମସ୍ତି କରିବାକୁ ଚାଲିଗଲେ ତାକୁ ନେଇ ଚର୍ଚ୍ଚା ହେଉଛି ।