ଖେଳୁଥିଲା ବେଳେ ଗରା ଭିତରେ ପଶିଗଲା ଅଢ଼େଇ ବର୍ଷର ଶିଶୁ । ୩ ଘଂଟା କାଳ ଅଂଟା ତଳକୁ ଲାଖି ରହିଲା ଗରା । କଟରରେ କାଟି ଶିଶୁକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

937

କନକ ବ୍ୟୁରୋ: ଗରା ଭିତରେ ଫସିଗଲା ଶିଶୁ । ଖେଳୁଥିବା ସମୟରେ ଏକ ଷ୍ଟିଲ ଗରା ଭିତରେ ପଶିଗଲା ଅଢେଇ ବର୍ଷର ଶିଶୁ । ସାହି ପଡ଼ିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗରା ଭିତରୁ ପିଲାଟିକୁ ଉଦ୍ଧାର କରିପାରିନଥିଲେ । ଶେଷରେ ଏ ସଂପର୍କରେ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାୟ ଦେଢ଼ ଘଂଟା କାଳ ଅକ୍ଳାନ୍ତ ପରିଶ୍ରମ କରିବା ପରେ କଟର୍ ସାହାର୍ଯ୍ୟରେ ଷ୍ଟିଲ୍ ଗରାକୁ କାଟି ପିଲାଟିକୁ ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ, ବାଙ୍କି ବ୍ଲକ ନୂଆଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ସଂଧ୍ୟା ସମୟରେ ଏକ ଅଢେଇ ବର୍ଷର ପିଲାଟି ଖେଳୁଥିବା ସମୟରେ ଏକ ଷ୍ଟିଲ୍ ଗରା ଭିତରେ ପଶିଯାଇଥିଲା । କିନ୍ତୁ ଗରା ଭିତରୁ ଆଉ ବାହାରି ପାରିନଥିଲା । ସାହି ପଡିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ପିଲାଟିର ଅଂଟା ଗରା ଭିତରେ ଫସି ରହିଥିବାରୁ ସେ ଆଉ ଗରା ଭିତରୁ ବାହାରି ପାରିନଥିଲା । ଶେଷରେ ଏସଂପର୍କରେ ଖବର ପାଇ ବାଙ୍କୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଥିଲା ଆଉ କଟର ସାହାଯ୍ୟରେ କାଟି ପିଲାଟିକୁ ଉଦ୍ଧାର କରିଥିଲା । ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ୍ ରହିଛି ।