ରାଜଧାନୀରେ ଜଘନ୍ୟ ହତ୍ୟା । ୪ ବର୍ଷର କୁନି ପିଲାକୁ ତଂଟି ଚିପି ପଡୋଶୀ ମହିଳା ମାରି ଦେଇଥିବା ଅଭିଯୋଗ । ଭୁବନେଶ୍ୱର ଡିସିପି କହିଲେ, ଘଟଣା ଉପରେ ରହିଛି ନଜର, ମହିଳାଙ୍କୁ ଜେରା ପରେ ସାମ୍ନାକୁ ଆସିବ ସବୁ ସତ ।

1,153

କନକ ବ୍ୟୁରୋ : ରାଜଧାନୀରେ ଜଣେ ପଡୋଶୀ ମାତ୍ର ଚାରି ବର୍ଷର କୁନି ପିଲାକୁ ଖେଳିବାକୁ ଘରକୁ ଡାକି ନେଇ ହତ୍ୟା କରିଛି ଜଣେ ମହିଳା । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ନାଁ – ସାଇରାମ, ବୟସ-୪ବର୍ଷ । ଭୁବନେଶ୍ୱର ରାଜୀବନଗରରେ ରହୁଥିବା ଏହି କୁନି ପିଲାଟି ସହ ଯାହା ଘଟିଯାଇଛି ତାହା ଜାଣିଲେ ଆପଣ ବିଚଳିତ ହୋଇପଡିବେ । ଦୁନିଆଁ କଣ ଜାଣିବା ପୂର୍ବରୁ ପଡୋଶୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଛି । ଆଉ ସବୁଦିନ ପାଇ ଆଖି ବୁଜିଦେଇଛି ।

ବୁଧବାର ସମୟ ପ୍ରାୟ ଦିନ ୧୦ଟା । ସ୍ଥାନ – ଭୁବନେଶ୍ୱର ରାଜୀବନଗର । ସବୁଦିନ ଭଳି ପଡୋଶୀ ତନୁଶ୍ରୀ ତାଙ୍କ ଟିକି ଝିଅ ସହ ଖେଳିବାକୁ ସାଇରାମକୁ ତାଙ୍କ ଘରକୁ ଡାକି ନେଇଥିଲେ । ୧୨ଟା ବାଜିବା ପରେ ମଧ୍ୟ ନଫେରିବାରୁ ଖାଇବା ପାଇଁ ତାଙ୍କ ମା ଦୀପ୍ତିରାଣୀ ବଡ ପୁଅ ଓମକୁ ତନୁଶ୍ରୀଙ୍କ ଘରକୁ ପଠାଇଥିଲେ । ଆଉ ସାଇରାମକୁ ଡାକିବାକୁ ଯାଇଥିବା ଓମ୍ ଘରକୁ ପଶିବା ପରେ ଯାହା ଦେଖିଥିଲା ସେଥିରେ ସେ ଭୟଭୀତ ହୋଇ ଚିତ୍କାର କରିଥିଲା ।

ଓମର ପାଟିଶୁଣି ଦୀପ୍ତିରାଣୀ ଓ ଅନ୍ୟ ପଡୋଶୀ ପହଞ୍ଚି ଯାଇଥିଲେ । ହେଲେ ସେତେବେଳକୁ ସାଇରାମର ଶରୀର ନିସ୍ତେଜ ହୋଇ ପଡିରହିଥିଲା । ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ କାନ୍ଦବୋବାଳିରେ ଫାଟି ପଡୁଛି ସାଇରାମଙ୍କ ଘର ।

ଏହି ହତ୍ୟାକାଣ୍ଡ ରାଜଧାନୀବାସୀଙ୍କୁ ସ୍ତବ୍ଧ କରିଦେଇଥିବାବେଳେ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ହତ୍ୟାକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ମହିଳା ଜଣଙ୍କ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ହେଲେ ହତ୍ୟାକାଣ୍ଡ ଘଟାଇବା ପରେ ମହିଳା ଜଣଙ୍କ ନିଜେ ଆତ୍ମହତ୍ୟା ଉଦ୍ୟମ କରି ମେଡିକାଲରେ ଭର୍ତି ହୋଇଥିବାରୁ ହୋସ ଆସିବା ପରେ କାରଣ ଜଣାପଡିବ ବୋଲି ପୋଲିସ ଡିସିପି କହିଛନ୍ତି ।