ଭଦ୍ରକ ସିଡିଏମଓଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ମୁଖ୍ୟ ଚିକିତ୍ସାଳୟରେ ଅଚଳାବସ୍ଥା ! ଅନ୍ଧାରରେ ପ୍ରସବ କଲେ ମହିଳା, ନବଜାତକ ମୃତ

43

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡି ସିଡିଏମଓ ଗିରଫ ହେବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଛି ଅଚଳାବସ୍ଥା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ଗତକାଲି ସନ୍ଧ୍ୟାରେ । ନବଜାତ ଶିଶୁର ମୃତ୍ୟୁ ଘଟଣାକୁ ନେଇ ମେଡିକାଲରେ ଦେଖାଦେଇଛି ଉତ୍ତେଜନା ।

ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍ କଟିଯିବା ପରେ ପ୍ରାୟ ଘଂଟାଏ ଧରି ଅନ୍ଧାରରେ ରହିଥିଲା ମୁଖ୍ୟ ଚିକିତ୍ସାଳୟ । ଆଉ ଏହି ସମୟରେ ଜଣେ ପ୍ରସବ ଯନ୍ତ୍ରଣା ପାଉଥିବା ଜଣେ ଗର୍ଭବତୀଙ୍କୁ ଲେବର ରୁମକୁ ନିଆଯାଇଥିଲା । କିନ୍ତୁ ସେଠାରେ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ମେଡିକାଲ ପରିସରରେ ମହିଳାଙ୍କ ସଂପର୍କୀୟ ପାଟିତୁଣ୍ଡ କରିଥିଲେ ।

ପ୍ରସବ ଯନ୍ତ୍ରଣା ପାଉଥିବା ମହିଳାଙ୍କୁ ସକାଳୁ ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଡାକ୍ତର ତାଙ୍କୁ ଦେଖିନଥିଲେ । ହେଲେ ଲାଇନ୍ କଟିଯିବା ପରେ ପ୍ରସବ କରାଇବା ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ଘଟିଥିବା ପ୍ରସୂତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ମେଡିକାଲ କର୍ତୃପକ୍ଷଙ୍କୁ ଦାୟୀ କରି ସେମାନେ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।