ମୁଖ୍ୟମନ୍ତ୍ରୀଙ୍କ ପାନୀୟ ଜଳ ସମୀକ୍ଷା: ପାନୀୟ ଜଳ ସମସ୍ୟା ଥିବା ହଟସ୍ପଟ୍‌ ଅଞ୍ଚଳ ଚିହ୍ନଟ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ

119

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଖୁବ ଶୀଘ୍ର ଗ୍ରୀଷ୍ମ ଋତୁ ଆସିଥିବାରୁ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ଅଛି, ତେଣୁ ଆମକୁ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଅଧିକ ପ୍ରସ୍ତୁତି କରିବାକୁ ପଡିବ। ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟସ୍ପଟ୍‌ ଅଂଚଳ ଗୁଡିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବରିଷ୍ଠ ଅଧିକାରୀମାନେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଉତ୍ତମ ରୂପେ ତଦାରଖ କରି ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି। ଗ୍ରାମାଞ୍ଚଳରେ ୧୭ ହଜାର କୋଟି ଟଙ୍କାର ୮୯ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି ଏବଂ ୨୦୨୪ ସୁଦ୍ଧା ସବୁ ଗ୍ରାମ୍ୟ ପରିବାରକୁ ଶତପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ସହରାଞ୍ଚଳରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ପାନୀୟ ଜଳ ପାଇଁ ୩୮୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି ଏବଂ ୨୦୨୨ ସୁଦ୍ଧା ସହରାଞ୍ଚଳର ସବୁ ପରିବାରକୁ ପାଇପ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ ।