କନକ ବ୍ୟୁରୋ : ଆଜି ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼, ନୂଆପଡା, କଳାହାଣ୍ଡି ଜିଲ୍ଲା ଗସ୍ତ କରିବା ସହ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଡାକୋଟା ବିମାନର ଉନ୍ମୋଚନ ପରେ ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯିବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଡାକୋଟାର ଉନ୍ମୋଚନ ପରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦର ପରିସରରେ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ବିମାନ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସକାଳ ୯ ଟା ୪୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ବରଗଡ ଗସ୍ତରେ ଯିବେ । ବରଗଡ଼ ଜିଲ୍ଲା ପଦ୍ମପୁର ସତୀଭାଟ ଏୟାରଷ୍ଟ୍ରିପରେ ପହଂଚିବେ । ସେଠାରୁ ହେଲିକ୍ୟାପ୍ଟର ଯୋଗେ ସୋହେଲାର ହଳଦୀପଲ୍ଲୀ ଗାଁକୁ ଯିବେ । ସେଠାରେ ବରଗଡ଼ ଜିଲ୍ଲା ପାଇଁ ୨୩୪ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ । ଏଥିସହ ସାଧାରଣ ସଭାରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିରେ ୨୧ ଶହ କୋଟି ଟଙ୍କାର ପ୍ରକଳ୍ପର କରିବେ ଉନ୍ମୋଚନ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ଉଦଘାଟନ କରିବେ । ଏଥିସହ ସୋହେଲାରୁ ଘେଁସ୍ ଯାଏ ବିଜୁ ଏକ୍ସପ୍ରେସ ୱେରେ ରୋଡ ସୋ କରିବେ ନବୀନ ।

ତେବେ ମୁଖ୍ୟମନ୍ତ୍ରୀ ରୋ ସୋ’କୁ ନେଇ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଗନ୍ଧ ବାରିଛନ୍ତି ବିରୋଧୀ । କାହିଁକି ନା ମୁଖ୍ୟମନ୍ତ୍ରୀ କେବଳ ନିର୍ବାଚନୀ ସମୟରେ ରୋଡ ସୋ’ କରିବାର ନଜିର ରହିଛି । ଏବେ କୌଣସି ନିର୍ବାଚନ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପଶ୍ଚିମଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି । ଦେଶରେ ଏକକ ନିର୍ବାଚନ ନେଇ କେନ୍ଦ୍ର ସରକାର ଚିନ୍ତା କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଛି ।