ପୁଣି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଦୁଇ ସପ୍ତାହରେ ଦ୍ୱିତୀୟ ଥର ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

159

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ବେଳେ ସାରାଓଡି଼ଶାରେ ବୁଲି ବୁଲି ଏହିଭଳି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରୁଥିଲେ ମୁଖ୍ୟମନ୍ତ୍ରୀ । ସେତେବେଳେ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ ପାଇଁ ଏହିଭଳି ସ୍ୱତନ୍ତ୍ର ବସ୍ର ଆୟୋଜନ କରାଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନ ଆଉ କୌଣସି ରୋଡ୍ ସୋ’ କରିନାହାନ୍ତି । ଉପନିର୍ବାଚନ ଗୁଡିକରେ କେବଳ ପ୍ରଚାର ସଭା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତ କରି ରୋଡ୍ ସୋ’ କରିବେ ବୋଲି ଜଣାପଡିଛି । ଏକ ବାଇକ ରାଲି ମଧ୍ୟ ବିଜେଡି ଆୟୋଜନ କରୁଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତୁଙ୍ଗ ନେତାମାନେ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି ।

ଜାନୁଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ତିନିଟି ବ୍ଲକରେ ସଭା କରି ୧୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇ ସପ୍ତାହ ପରେ ପୁଣିଥରେ ବରଗଡ ଯାଉଥିବାରୁ, ପଶ୍ଚିମ ଓଡିଶାକୁ ବିଜେଡି ଫୋକସ କରୁଥିବା ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡି଼ଶା ଗସ୍ତ କାର୍ଯ୍ୟକ୍ରମ
– ବରଗଡ଼ ସୋହେଲା ବ୍ଲକ୍ ହଲଦୀପାଲିରେ ସମାବେଶରେ ଯୋଗ ଦେବେ
– ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
– ବରଗଡ଼ ଜିଲ୍ଲାରୁ ପୁଣି ନୂଆପଡ଼ା ଗସ୍ତ କରିବେ ନବୀନ ପଟ୍ଟନାୟକ
– ସୋହଲା ବ୍ଲକରୁ ସ୍ୱତନ୍ତ୍ର ବସ୍ରେ ଘେଁସ ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ
– ଦୀର୍ଘ ୨୪ କିଲୋମିଟର ସଡ଼କ ପଥରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ
– ଏହାପରେ ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଛି

ଦୁଇ ସପ୍ତାହରେ ବରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇ ଥର ଗସ୍ତ ଆଗାମୀ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତିକୁ ସୂଚାଉଥିବା କୁହାଯାଉଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି ପଶ୍ଚିମ ଓଡିଶାର ବିରୋଧୀ ନେତା ।

ରାଜନୀତି ପଣ୍ଡିତଙ୍କ ମତରେ ପଶ୍ଚିମ ଓଡିଶାରେ ଏବେ ବିଜୁ ଜନତ ଦଳକୁ ଘାରିଛି ନେତୃତ୍ୱ ସଂକଟ । କିଶୋର ମହାନ୍ତି ଓ ନବ ଦାସଙ୍କ ଅକାଳ ଦେହାନ୍ତ ପରେ ଦଳକୁ ପୁରୁଖା ଓ ଅଭିଜ୍ଞ ନେତାଙ୍କ ଅଭାବ ଅନୁଭୂତ ହେଉଛି । ସେପଟେ ପଶ୍ଚିମ ଓଡିଶାର ଦୁଇ ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂଦେଓ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଆଗକୁ କରି ଦଳ ଏଠାରେ ତାର ପତିଆରା ପ୍ରଦର୍ଶନ କରିବାକୁ ଚାହୁଁଛି । ବିଜେପିର ଏକାଧିକ କେନ୍ଦ୍ରମନ୍ତ୍ରୀ ପଶ୍ଚିମ ଓଡିଶାକୁ ଫୋକସ କରି ଘନଘନ ଗସ୍ତ କରୁଛନ୍ତି । ୩୬ ବିଧାନସଭା ଓ ୫ ଲୋକସଭା ଆସନକୁ ଫୋକସ କରି ଉଭୟ ବିଜେଡି ଓ ବିଜେପି ବଳ କଷାକଷି ଆରମ୍ଭ କରିଦେଇଛନ୍ତି ।