ରୋମରେ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଯୁବ ବୈଜ୍ଞାନିକଙ୍କ କଥା ଶୁଣି ଆଖିରେ ଜକେଇ ଆସିଲା ଲୁହ ।

160

କନକ ବ୍ୟୁରୋ: ନବୀନଙ୍କ ଆଖିରେ ଲୁହ । ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମରେ ଓଡ଼ିଶାର ଗରିବ ଛାତ୍ରର କଥା ଶୁଣି କୋହ ସମ୍ଭାଳି ପାରିଲେନି, ସମସ୍ତଙ୍କ ଆଗରେ କାନ୍ଦି ପକାଇଥିଲେ ନବୀନ । ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁର ଯୁବ ବୈଜ୍ଞାନିକ ଶେଷଦେବ କିସାନଙ୍କ କଥା ଶୁଣି ନବୀନଙ୍କ ଆଖିରୁ ଲୁହ ଝରିପଡିଥିଲା । ପାଠ ପଢିବା ପାଇଁ ଯେତେବେଳେ ତାଙ୍କ ପାଖରେ ଟଙ୍କାଟିଏ ନ ଥିଲା ସେତେବେଳେ ସହାୟତାର ହାତ ବଢାଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ସମସ୍ତ ପଢା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଉ ଯେଉଁଥିପାଇଁ ସେ ଆଜି ଜର୍ମାନୀରେ ପାଠ ପଢିବାକୁ ସୁଯୋଗ ପାଇଛନ୍ତି ।

ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ୨୦୧୮ ମସିହାର ଏହି କଥା ମନେପକାଇ ଦେଇଥିଲେ ଶେଷ । ଆଉ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ ନବୀନ ପଟ୍ଟନାୟକ । ଶେଷଦେବ ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କହିଥିଲେ, ୨୦୧୮ରେ ସେ ଯେବେ ଭୁବନେଶ୍ୱରରେ ତାଙ୍କୁ ଭେଟିବାକୁ ଆସିଥିଲେ ସେତେବେଳେ ସେ ହଳେ ଶସ୍ତା ପ୍ୟାଣ୍ଟ, ସାର୍ଟ, ବାଥରୁମ ସ୍ଲିପର ପିନ୍ଧିଥିଲେ ଏବଂ ହାତରେ ଥିଲା ଗୋଟିଏ ଛୋଟ ନୋକିଆ ଫୋନ୍ । ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଆଇଫୋନ୍ ଉପହାର ଦେଇଥିଲେ । ପିତାମାତାଙ୍କୁ ହରାଇଥିବା ଜଣେ ଅନାଥ ଯୁବକଙ୍କୁ ସହାୟ ହୋଇ ତାଙ୍କୁ ପାଠ ପଢାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ତାଙ୍କୁ ପିତାମାତାଙ୍କୁ ଅଭାବ ଅନୁଭୂତ ହୋଇନଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଇଁ ଆଜି ଏଠି ପହଞ୍ଚିପାରିଛନ୍ତି ବୋଲି କହିଥିଲେ ଶେଷ । ଆଉ ଶେଷଙ୍କ କେଇପଦ କଥା ଶୁଣି ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଲୁହ ଆସିଯାଇଥିଲା । ସେ ହାତରେ ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା ।

ତେବେ ପିଏଚଡି କରିବା ପରେ ଦୁଇବର୍ଷର ଶିଳ୍ପ ଅଭିଜ୍ଞତା ନେଇ ସେ ଓଡ଼ିଶା ଆସି ଏକ ଫାର୍ମା କମ୍ପାନୀ ଖୋଲିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଔଦ୍ୟୋଗିକ ବିଭାଗରେ ଗବେଷଣା କରୁଥିବା ସମ୍ବଲପୁର ନାକଟିଦେଉଳ ଅଞ୍ଚଳର ଶେଷଦେବ କିସାନ ।