ଲେୟର ଫାର୍ମିଂ ଜରିଆରେ କୁକୁଡ଼ା ଅଣ୍ଡା ଉତ୍ପାଦନ: ପ୍ରତିଦିନ ଫାର୍ମରୁ ବିକ୍ରି ହେଉଛି ୧ ହଜାର ଅଣ୍ଡା

310

କନକ ବ୍ୟୁରୋ: ବ୍ରଏଲର କୁକୁଡ଼ା ଅଣ୍ଡା ଉତ୍ପାଦନ କରି ଆତ୍ମନିର୍ଭର ହୋଇଛନ୍ତି ରାୟଗଡ଼ା ଭୁଲୁସୁଣ୍ଡା ଗାଁର ଯୁବ ଉଦ୍ୟୋଗୀ ସନ୍ତୋଷ ନାଲା । ୧ ହଜାର କ୍ଷମତା ବିଶିଷ୍ଟ ଏହି କୁକୁଡ଼ା ଫାର୍ମରେ ଧାଡ଼ି ଧାଡ଼ି ଜାଲି ଭିତରେ କୁକୁଡ଼ା ମାନଙ୍କୁ ରଖାଯାଇଛି । କୁକୁଡ଼ାଙ୍କୁ ଦାନା ଦେବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଯତ୍ନ ନିଅନ୍ତି ସନ୍ତୋଷ । କୁକୁଡ଼ା ଅଣ୍ଡା ଦେବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଫାର୍ମରେ ବାୟୁ ଚଳାଚଳ ଏବଂ ଆଲୋକିକରଣ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତେକ ଦିନ ଏହି ଫାର୍ମରୁ ୧ ହଜାର କୁକୁଡ଼ା ଅଣ୍ଡା ଉତ୍ପାଦନ ହେଉଛି । ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ଯୁବ ଉଦ୍ୟୋଗୀ ସନ୍ତୋଷ ନାଲା ।

କରୋନା ସମୟରେ କାମ ଧନ୍ଦା ହରାଇ ଘରେ ବସିଥିବା ବେଳେ ନୂଆ କିଛି କରିବା ପାଇଁ ଯୋଜନା କରିଥିଲେ ସନ୍ତୋଷ । ୟୁଟ୍ୟୁବ ସର୍ଚ୍ଚ କରି ଅଣ୍ଡା ଉତ୍ପାଦନ ଏବଂ କୁକୁଡ଼ା ଚାଷ ବିଷୟରେ ଜାଣିବା ପରେ ନିଜ ଗାଁରେ ଏକ କୁକୁଡ଼ା ଉତ୍ପାଦନ କେନ୍ଦ୍ର କରି ଏଥିରୁ ବେଶ ଲାଭ ପାଉଛନ୍ତି । ନିଜର ପରିବାର ପ୍ରତିପୋଷଣ କରିବା ସହ ଅନ୍ୟ ୨ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ସରକାରୀ ସହାୟତାରେ କୁକୁଡ଼ା ଫାର୍ମ ଆରମ୍ଭ କରିଛନ୍ତି ସନ୍ତୋଷ । ଆନ୍ଧ୍ରପ୍ରଦେଶରୁ କୁକୁଡ଼ା ଚିଆଁ ଆଣି ଅଣ୍ଡା ଉତ୍ପାଦନ ହେବା ପରେ ସ୍ଥାନୀୟ ଗୁଣୁପୁର ବଜାରରେ ବିକ୍ରି କରୁଛନ୍ତି ।

ରାୟଗଡ଼ା ଗୁଣୁପୁର ଅଂଚଳରେ ଅଧିକାଂଶ ଲୋକ କପା, ଧାନ ଓ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । କୁକୁଡ଼ା ଅଣ୍ଡା ଉତ୍ପାଦନ ଭଳି ଏକ ଲାଭଦାୟକ ବ୍ୟବସାୟ କରି ସ୍ଥାନୀୟ ଅଂଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଯୁବ ଉଦ୍ୟୋଗୀ ସନ୍ତୋଷ ନାଲା ।