କନକ ବ୍ୟୁରୋ : ପ୍ୟାକେଟରେ ଗୋଟିଏ ବିସ୍କୁଟ କମ୍ ଥିବାରୁ ଏବେ କମ୍ପାନୀକୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ଏକଥା ଆପଣଙ୍କୁ ବିଶ୍ୱାସ ହେଉ ନଥିଲେ ବି କଥାଟି ସତ । ସୂଚନା ମୁତାବକ ତାମିଲନାଡୁର ତିରୁବଲ୍ଲୁବର ଠାରେ ଏଭଳି କିଛି ଘଟଣା ଘଟିଛି । ଏଠାରେ ଏକ ବିସ୍କୁଟ କମ୍ପାନୀ ଏବେ ଜଣେ ଗ୍ରାହକଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବେ । କାରଣ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିସ୍କୁଟ ପ୍ୟାକେଟରେ ଗୋଟିଏ ବିସ୍କୁଟ କମ୍ ଥିଲା । ଏନେଇ ଜିଲ୍ଲା ଉପଭୋକ୍ତା ଫୋରମ ତରଫରୁ ଆଇଟିସି ଲିମିଟେଡ ଫୁଡ ଡିଭିଜନକୁ ଅନୁଚିତ ବ୍ୟବସାୟ କାରଣରୁ ଦୋଷୀ ସାବ୍ୟସ୍ତ କରି ଗ୍ରାହକଙ୍କୁ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ।

Advertisment

ଜଣେ ଗ୍ରାହକ ଜିଲ୍ଲା ଉପଭୋକ୍ତା ଫୋରମରେ ଅଭିଯୋଗ କରିଥିଲେ କି ଆଇଟିସିର ବିସ୍କୁଟ ବ୍ରାଣ୍ଡ ସନଫିଷ୍ଟ ମେରୀ ଲାଇଟ ପ୍ୟାକେଟରେ ଲେଖା ଯାଇଥିବା ବିସ୍କୁଟ ସଂଖ୍ୟା ତୁଳନାରେ ଗୋଟିଏ ବିସ୍କୁଟ କମ୍ ରହିଥିଲା । ଚେନ୍ନାଇରେ ରହୁଥିବା ଅଭିଯୋଗକାରୀ ପି.ଦିଲ୍ଲୀବାବୁ ନିଜ ଅଭିଯୋଗରେ ବିସ୍କୁଟ ପ୍ୟାକେଟରେ ୧୬ ଖଣ୍ଡ ବିସ୍କୁଟ ଥିବା କଥା ଲେଖାଯାଇଥିବା ବେଳେ ବାସ୍ତବରେ ପ୍ୟାକେଟରେ ୧୫ ଖଣ୍ଡ ବିସ୍କୁଟ ରହିଥିଲା । ଏନେଇ ମାମଲାର ଶୁଣାଣି ହୋଇଥିଲା ଓ କୋର୍ଟ ଦିଲ୍ଲୀବାବୁଙ୍କ ସପକ୍ଷରେ ରାୟ ଦେଇଥିଲେ ।

ଅଭିଯୋଗକାରୀଙ୍କ ତରଫରୁ କମ୍ପାନୀ ଓ ବିସ୍କୁଟ ବିକ୍ରି କରୁଥିବା ଷ୍ଟୋର ଉପରେ ୧୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ । ହେଲେ କୋର୍ଟ କହିଥିଲେ କି ଅଭିଯୋଗକାରୀଙ୍କ ତରଫରୁ ଦାବି କରାଯାଇଥିବା ରାଶି ବହୁତ ଅଧିକ । ତେଣୁ କମ୍ପାନୀ ତରଫରୁ ଅଭିଯୋଗକାରୀଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।