ଭାରତରେ ବଢିବ ଚିତା ବାଘର ବଂଶ । ଗର୍ଭବତୀ ହେଲା ନାମିବ୍ୟାରୁ ଆସିଥିବା ଚିତା ‘ଆଶା’

143

କନକ ବ୍ୟୁରୋ :ଗତ ୧୭ ତାରିଖରେ ନାମିବ୍ୟାରୁ ଆସିଥିବା ଆଠଟି ଚିତାବାଘ ମଧ୍ୟରୁ ପ୍ରଥମ କରି ଚିତାବାଘ ‘ଆଶା’ ଗର୍ଭବତୀ ହୋଇଥିବା ସୂଚନା ମିଳିଛି । ଦୀର୍ଘ ୭୦ ବର୍ଷ ପରେ ଭାରତୀୟ ଜଙ୍ଗଲକୁ ଚିତାବାଘ ଫେରିଥିବାବେଳେ ଏବେ ଏହି ଚିତାବାଘ ଆଶାର ଗର୍ଭବତୀ ହେବା ଚିତା ବଂଶ ବୃଦ୍ଧି ପାଇଁ ଖୁସି ଖବର । ମଧ୍ୟପ୍ରଦେଶ କୁନୋ ପାଲପୁର ନ୍ୟାସନାଲ ପାର୍କରେ ଥିବା ଏହି ଚିତା ଠାରେ ଗର୍ଭବତୀ ହେବାର ସମସ୍ତ ଲକ୍ଷଣ ଥିବା ସେଠାକାର ଅଧିକାରୀ ସୂଚନା ଦେଇଛନ୍ତି । ଚିତାବାଘ ଆଶା ଠାରେ ଆଚରଣଗତ , ଶାରିରୀକ ଏବଂ ହରମୋନଗତ ଲକ୍ଷଣ ଦେଖାଯାଉଛି । ଏଥିପାଇଁ ସମସ୍ତେ ଖୁସି ହେବା ସହ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଅଧିକାରୀ କହିଛନ୍ତି ।

ଚିତା ଆଶା ଯଦି ଗର୍ଭବତୀ ଥାଏ ତେବେ ଏହା ତାହାର ପ୍ରଥମ ସନ୍ତାନ ଜନ୍ମ ବୋଲି ଚିତା କଂଜରଭେସନ ଫଣ୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲରି ମାର୍କର କହିଛନ୍ତି । ଏହା ସହ ଏହା ନାମିବ୍ୟାର ଆଉ ଏକ ଉପହାର ବୋଲି ସେ କହିଛନ୍ତି । ସେ ରହୁଥିବା ଖୁଆଡ଼ରେ ତାର ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ବ୍ୟବସ୍ଥା କରାଯିବା ଉଚିତ । ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଭଳି ସୁରକ୍ଷିତ ଅଂଚଳରେ ଚିତାଛୁଆ ମୃତ୍ୟୁ ହାର ଅଧିକ ରହୁଥିବାରୁ ‘ପ୍ରୋଜେକ୍ଟ ଚିତା’ ପାଇଁ ଏବେ ଏହା ଚାଲେଂଜର କାରଣ ହେବ ।