୧ରୁ ୬ରେ ଶେଷ ହୋଇଥିବ ଗାଡି ନମ୍ବର ସାବଧାନ: ଜାନୁଆରୀ ୧୫ ତାରିଖରୁ କଟିବ ଚାଲାଣ

133

କନକ ବ୍ୟୁରୋ: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟୀ ନମ୍ବର ପ୍ଲେଟ ଯାଂଚକୁ ନେଇ ପୁଣି ଥରେ ତାଗିଦ କରାଯାଇଛି । ଆସନ୍ତା ୧୫ତାରିଖରୁ ଯେଉଁ ଗାଡିରେ ହାଇସିକ୍ୟୁରିଟୀ ନମ୍ବର ପ୍ଳେଟ ଲାଗି ନଥିବ, ତାହାର ଯାଂଚ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଯେଉଁମାନେ ନିମୟ ଖିଲାପ କରିଥିବେ ସେମାନଙ୍କୁ ୫ରୁ ୧୦ହଜାର ଟଙ୍କାର ଇ-ଚାଲାଣ କଟାଯିବ । ପରିବହନ ବିଭାଗର ତାଗିଦ ପରେ ପୁଣି ଥରେ ଚର୍ଚ୍ଚାକୁ ଫେରିଛି ଏଚଏସଆରପି ନମ୍ବର ପ୍ରସଙ୍ଗ ।

ହାଇ ସିକ୍ୟୁରିଟୀ ନମ୍ବର ପ୍ଲେଟ ଯାଂଚ ନେଇ ପରିବହନ ବିଭାଗର ତାଗିଦ ପରେ, ବିଭିନ୍ନ ସୋରୁମ ଆଗରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଏଚଏସଆରପି ନମ୍ବର ପ୍ଲେଟ ଲଗାଇବାକୁ ଗାଡି ମାଲିକମାନେ ସୋରୁମରେ ଭିଡ ଜମାଇଛନ୍ତି । ବିଶେଷ କରି ହିରୋ ସୋରୁମ ଗୁଡିକରେ ଦେଖିବାକୁ ମିଳିଛି ଅଧିକ ଭିଡ ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି, ଯଉଁ ଗାଡିଗୁଡିକର ଶେଷ ନମ୍ବର ୧ରୁ ୬ରେ ଶେଷ ହୋଇଥିବ, ସେଗୁଡିର ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ୧୫ ତାରିଖରୁ ଚାଲାଣ କଟିବ । ଏଥିପାଇଁ ୫ ହଜାରରୁ ୧୦ ହଜାର ଯାଏଁ କଟିବ ଚାଲାଣ । ଏହି ସବୁ ନମ୍ବର ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଧାର୍ଯ୍ୟ ସମୟ ଗତ ଡିସେମ୍ବର ୩୧ରୁ ଶେଷ ହୋଇଛି । ପରିବହନ ବିଭାଗର ତାଗିଦ ପରେ, ସମୟ ସରି ଯାଇଥିଲେ ବି, ଯେଉଁମାନେ ନମ୍ବର ପ୍ଲେଟ୍ ବଦଳାଇ ନାହାଁନ୍ତି ସେମାନେ ଏବେ ତତ୍ପର ହୋଇଛନ୍ତି ।

୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡି, ଯାହାର ନମ୍ବରର ଶେଷ ଅଙ୍କ ୧ ରୁ ୬ ଭିତରେ , ସେହି ଗାଡିଗୁଡିକ ପାଇଁ ଏଚଏସଆରପି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ୩୧ଡିସେମ୍ବର ୨୦୨୨ ଧାର୍ଯ୍ୟ କରାଯାଇଥିଲା । ୭ ଓ ୮ ଶେଷ ଅଙ୍କ ଥିବା ଗାଡିଗୁଡିକ ପାଇଁ ସମୟସୀମା ୩୧ ଜାନୁଆରୀ ୨୦୨୩ ରହିଛି । ୯ ଓ ୦ ଶେଷ ଅଙ୍କ ଥିବା ଗାଡି ଗୁଡିକ ପାଇଁ ନୂଆ ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ଫେବ୍ରୁଆରୀ ୨୮ ରହିଛି । ସମୟ ସୀମା ଭିତରେ ନମ୍ବର ପ୍ଲେଟ ନବଦଳାଇଲେ ଗାଡି ମାଲକଙ୍କଠାରୁ ଜରିମାନା ଆଦାୟ କରାଯିବାର ବ୍ୟବସ୍ଥା ରହିଛି । ହେଲେ, ସରକାରଙ୍କ ଏଚଏସଆରପି ନମ୍ବରପ୍ଲେଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ ।

ତେବେ ରାଜ୍ୟ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହକି ପରେ ଯାଂଚ ହେବ ଏଚଏସଆରପି ନମ୍ବର । କଡାକଡି ଚେକିଂ କରାଯିବ । ଯେଉଁମାନେ ହାଇସିକ୍ୟୁରିଟି ନମ୍ବର ଲଗାଇନଥିବେ ସେମାନେ ଗଣିବେ ତଣ୍ଡ ।