ଶସ୍ତା ହେବ କରୋନା ଟିକା ! ୨ଶହ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ଟିକା

191

କୋଭିଡ୍‌ ଟିକାର ଚାହିଦା ବଢ଼ିବା ସହିତ ଭାରତରେ ଏହାର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ଉତ୍ପାଦନ ବଢ଼ିବାରୁ ଏବେ ଟିକାକରଣର ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଟିକା ବାବଦରେ କମ୍‌ ଖର୍ଚ୍ଚ କରିବାକୁ ହେବ। ପୂର୍ବରୁ ସରକାର ଗୋଟିଏ ଡୋଜ୍‌କୁ ୨୧୦ ଟଙ୍କାରେ କିଣୁଥିବା ବେଳେ ଏବେ ଏହାକୁ ୧୫୭.୫୦ (ଜିଏସ୍‌ଟି ସମେତ) ଟଙ୍କାରେ କିଣିବେ। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି କହିଛନ୍ତି ଯେ ଆଗକୁ କୋଭିଡ୍‌ ଟିକାର ଦାମ୍‌ ‌ଦେଶରେ ୨୦୦ ଟଙ୍କାରୁ ମଧ୍ୟ କମ୍‌ ରହିବ। ଦେଶର କୌଣସି ରାଜ୍ୟରେ ବି ଟିକା ଅଭାବ ରହିବ ନାହିଁ। ଉତ୍ପାଦନ ବଢ଼ିବା ପରେ ଟିକା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିବା ପାଇଁ ସରକାର ଟିକା ପ୍ରସ୍ତୁତକାରୀ ସଂସ୍ଥା ସହିତ ଆଲୋଚନା କରିଥିଲେ ଏବଂ କମ୍‌ ମୂଲ୍ୟରେ ଟିକା ଉପଲବ୍ଧ କରାଇବାକୁ ସହମତି ହୋଇସାରିଛି ବୋଲି ସେ କହିଛନ୍ତି।

ଏବେ ଲୋକଙ୍କୁ କୋଭିଡ୍‌ ଟିକା ପାଇଁ ଡୋଜ୍‌ ପିଛା ୨୫୦ ଟଙ୍କା ଦେବାକୁ ପଡ଼ୁଛି। ସରକାର ଶସ୍ତାରେ ଟିକା କିଣିବା ପରେ ଟିକା ମୂଲ୍ୟ ହ୍ରାସ ପାଇବ ଏବଂ ଏହାର ଦାମ ୨୦୦ ଟଙ୍କା ଭିତରେ ସୀମିତ ରହିବ ବୋଲି ଜଣାପଡ଼ିଛି। ସିରମ୍‌ ଏବଂ ଭାରତ ବାୟୋଟେକ ସହିତ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଟିକା ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଏକ ସମୀକ୍ଷା ବୈଠକ ହୋଇଥିଲା। ବିଶ୍ବର ସବୁଠାରୁ ବଡ଼ ଟିକା ପ୍ରସ୍ତୁତକାରୀ ସଂସ୍ଥା ସିରମ୍‌ ଏ ଦିଗରେ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିବା ବେଳେ ଭାରତ ବାୟୋଟେକ ମଧ୍ୟ ପୂର୍ବ ନିର୍ଦ୍ଧାରିତ ମୂଲ୍ୟକୁ ବଦଳାଇବାକୁ ସମ୍ମତି ପ୍ରକାଶ କରିଛି।