ପଞ୍ଜାବକୁ ମିଳିଲା ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆରମ୍ଭ ହେଲା ଚରଣଜିତଙ୍କ ଶାସନ।

111

କନକ ବ୍ୟୁରୋ: ଚରଣଜିତ୍ ସିଂହ ଚନ୍ନିଙ୍କ ହାତରେ ପଞ୍ଜାବ ଶାସନ । କ୍ୟାପଟେନ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ପ୍ରମୁଖ ଦଳିତ ନେତା ଚରଣଜିତ୍ ଚନ୍ନି ହୋଇଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ଚଣ୍ଡିଗଡରେ ଆୟୋଜିତ ସ୍ୱତନ୍ତ୍ର ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଚରଣଜିତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ଶପଥ ପାଠ କରିବା ଆଗରୁ ଗୁରୁଦ୍ୱାରାରେ ପ୍ରଣତି କରି ଶପଥ ସମାରୋହରେ ଯୋଗ ଦେବା ପାଇଁ ପହଁଚିଥିଲେ ଚରଣଜିତ୍ । ଏହି ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସର ଅନେକ ବଡ ବଡ ନେତାଙ୍କୁ ଦେଖିବାକୁ ମିଳିଛି । ସେପଟେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଚରଣଜିତଙ୍କୁ ଶୁଭକାମନା ଜଣାଇଛନ୍ତି ।

ଚରଣଜିତ୍ ଚନ୍ନି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ, ସୁଖଜିନ୍ଦର ସିଂହ ରାନ୍ଧୱା ଓ ଓପି ସୋନୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୌଡରେ ଚରଣଜିତଙ୍କ ସ୍ଥାନରେ ସୁଖଜିନ୍ଦରଙ୍କ ନାମ ଥିଲା । ତେବେ ଶେଷ ମୁହୂର୍ତରେ ଚରଣଜିତ୍ ଚନ୍ନିଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଥିଲା । କାରଣ ସେ ପଞ୍ଜାବରେ ଜଣେ ପ୍ରମୁଖ ଦଳିତ ନେତା ଭାବେ ବେଶ ପରିଚିତ । ଆଉ ଦଳିତ ସମୁଦାୟରେ ତାଙ୍କର ବେଶ ପ୍ରଭାବ ରହିଛି ।

ପଞ୍ଜାବର ପ୍ରଥମ ଦଳିତ ନେତା ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହାସଲ କରିଛନ୍ତି ଚରଣଜିତ୍ ଚନ୍ନି  

  • ଚରଣଜିତ୍ ସିଂହ ଚନ୍ନି ଚମକୌର ସାହିବ ଆସନରୁ ନିର୍ବାଚନ ଜିତିଛନ୍ତି
  • କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ରହିଛନ୍ତି ଚରଣଜିତ୍
  • ପଞ୍ଜାବର ଜଣେ ପ୍ରଭାଶାଳୀ ଦଳିତ ନେତା ଭାବେ ବେଶ ପରିଚିତ
  • ରାହୁଲ ଗାନ୍ଧିଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି

ତେବେ ଚରଣଜିତ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ପଞ୍ଜାବ ରାଜନୀତିରେ ଆଉ କଣ ନୂଆ କଥା ଘଟୁଛି ତାହା ଉପରେ ସଭିଁଙ୍କ ନଜର