ଟାଇମ୍ ମାଗାଜିନର ଉଦୀୟମାନ ନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟଙ୍କ ସହ ୫ ଜଣ ଭାରତୀୟ ବଂଶୋଦ୍ଭବ । ଜାଣନ୍ତୁ କିଏ ଏହି ଭାରତୀୟ

137

କନକ ବ୍ୟୁରୋ : ‘ଟାଇମ୍’ ମାଗାଜିନ୍  ଭବିଷ୍ୟତର ଉଦୀୟମାନ ନେତା ତାଲିକା ସର୍ଭେ ପ୍ରକାଶ କରିଛି । ଏଥିରେ ମୋଟ ୧୦୦ ଜଣ ନେତାଙ୍କ ତାଲିକା ରହିଛି । ଏହି ତାଲିକାରେ ଜଣେ ମାତ୍ର ଭାରତୀୟ ରହିଥିବା ବେଳେ ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ରହିଛି । ଭବିଷ୍ୟତର ଉଦୀୟ ମାନ ନେତାଙ୍କ ତାଲିକାରେ ରହିଥିବା ଭାରତୀୟ ଜଣଙ୍କ ହେଉଛନ୍ତି ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦ । ଏହା ସହ ବିଦେଶରେ ରହୁଥିବା ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ରହିଛନ୍ତି ଟ୍ୱିଟରର ବରିଷ୍ଠ ଓକିଲ ବିଜୟା ଗାଡଡେ ଓ ବ୍ରିଟେନ୍ ଅର୍ଥମନ୍ତ୍ରୀ ଋଷି ସୁନକ , ଇନଷ୍ଟାକାର୍ଟର ସଂସ୍ଥାପକ ତଥା ସିଆଇଓ ଅପୂର୍ବା ମେହତା, ଏନଜିଓ ‘ଗେଟ୍ ଅସ୍ ପିପିଆଇ’ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶିଖା ଗୁପ୍ତା ଓ ଏନଜିଓ ‘ଅପସୋଲଭ’ର ରୋହନ ପଭୁଲୁରୀ  ।

ବୁଧବାର ଦିନ ଜାରି ହୋଇଥିବା ‘୨୦୨୧ ଟାଇମ ନେକ୍ସଟ୍’ ସାରା ବିଶ୍ୱର ୧୦୦ ଜଣ ଭବିଷ୍ୟତ ପ୍ରଭାବଶାଳୀ ନେତାଙ୍କ ନାମ ପ୍ରକାଶ ପାଇଛି । ଏଥିରେ ସ୍ଥାନ ପାଇଥିବା ୧୦୦ ଜଣ ନେତା ଯେଉଁମାନେ କି ଭବିଷ୍ୟତକୁ ନୂଆ ରୂପ ଦେଉଛନ୍ତି । ଏନେଇ ‘ଟାଇମ୍ ୧୦୦’ ର ସଂପାଦକୀୟ ନିର୍ଦ୍ଦେଶକ ଡେନ୍ ମ୍ୟାକସାଇ କହିଛନ୍ତି କି ଏହି ତାଲିକାରେ ସ୍ଥାନ ପାଇଥିବା ସମସ୍ତ ବ୍ୟକ୍ତି ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ସହ ଏମାନଙ୍କ ମଧ୍ୟରୁ ଅନେକ ନେତା ଇତିହାସ ସୃଷ୍ଟି କରିସାରିଛନ୍ତି ବୋଲି ସେ କହିଛନ୍ତି ।

ଏହି ପତ୍ରିକାରେ ଭୀମ୍ ଆର୍ମି ନେତା ଆଜାଦଙ୍କ ବାବଦରେ କୁହାଯାଇଛି କି ସେ  ଦଳିତ ସମୁଦାୟଙ୍କୁ ଶିକ୍ଷା ମାଧ୍ୟମରେ ଗରିବୀରୁ ମୁକ୍ତି ଦେବାକୁ ସହଯୋଗ କରିବା ପାଇଁ ସ୍କୁଲ ଚଳାଉଛନ୍ତି । ସେ ବାଇକ୍ ରାଲି କରି ଜାତି ଆଧାରରେ ହିଂସାର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବାକୁ ଗାଁ ଗାଁ ରେ ପହଂଚିଯାଆନ୍ତି ।