କନକ ବ୍ୟୁରୋ : ସୂର୍ଯ୍ୟ ଉଦୟ ବେଳେ ଚନ୍ଦ୍ର ଅସ୍ତ ହୋଇଯାଆନ୍ତି । ଆଉ ସୂର୍ଯ୍ୟ ଅସ୍ତ ହେବା ପରେ ଆକାଶରେ ଚନ୍ଦ୍ର ଦେଖାଯାଏ । କିନ୍ତୁ ଗଞ୍ଜାମ ରାଜନୀତିରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିଲା ନୀବିଡ଼ ସମ୍ପର୍କ । ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ସୂର୍ଯ୍ୟନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । ଏପରିକି ଗଞ୍ଜାମ ଜିଲ୍ଲାର ଏହି ଦୁଇ ପ୍ରଭାବଶାଳୀ ନେତା ଭିନ୍ନ ଭିନ୍ନ ଦଳରେ ଥିଲେ ମଧ୍ୟ ସେମାନଙ୍କ ବ୍ୟକ୍ତିଗତ ସମ୍ପର୍କ ଭଲ ଥିଲା । ସୂର୍ଯ୍ୟ ପାତ୍ରଙ୍କ ଦେହାନ୍ତ ପରେ ଏକଥା କହିଛନ୍ତି ଚନ୍ଦ୍ରଶେଖର ସାହୁ । ବ୍ରହ୍ମପୁର ସାଂସଦ କହିଛନ୍ତି, ଛାତ୍ର ରାଜନୀତିରୁ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ।

Advertisment

ଜନତା ଦଳ ଓ ପରେ ବିଜେଡିରେ ଯୋଗ ଦେଇଥିଲେ ସୂର୍ଯ୍ୟ ପାତ୍ର । କାଉନସିଲରରୁ ବିଧାୟକ ଓ ବିଧାୟକରୁ ସେ ଅନେକ ଗୁରୁତ୍ୱପୁର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । ଏପଟେ କଂଗ୍ରେସର ହାତ ଧରିଥିଲେ ଚନ୍ଦ୍ରଶେଖର । କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ବ୍ରହ୍ମପୁର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଦଳରେ ରହିଥିଲେ ବି ଉଭୟଙ୍କ ମଧ୍ୟରେ ବନ୍ଧୁତା ଅତୁଟ ରହିଥିଲା । କୁହାଯାଏ, ଚନ୍ଦ୍ରଶେଖର ସାହୁ, କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପଛରେ ରହିଥିଲା ସୂର୍ଯ୍ୟ ପାତ୍ରଙ୍କ ହାତ ।